ପୁରୀ: ଉପକୂଳବର୍ତ୍ତୀ ସମୁଦ୍ରରେ ମାଛ ଧରିବା ଉପରେ ଲାଗିଲା କଟକଣା । ଆସନ୍ତା ବର୍ଷ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ବିରଳ ଜାତିର ଅଲିଭ୍ ରିଡ଼ଲେ କଇଁଛଙ୍କ ସଙ୍ଗମ ଓ ଅଣ୍ତାଦାନ ଋତୁ ଆସିଥିବାରୁ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଏହି କଟକଣା ଲାଗୁ କରାଯାଇଛି । ସେହିପରି ସମୁଦ୍ର କୂଳରୁ 10 କିଲୋମିଟର ଭିତରକୁ ସବୁ ଟ୍ରଲର, ଯନ୍ତ୍ର ଚାଳିତ ଡଙ୍ଗା, ରିଙ୍ଗ ଜାଲ ବ୍ୟବହାର ନିଷିଦ୍ଧ କରାଯାଇଛି । କଟକଣାକୁ ଉଲ୍ଲଘଂନ କଲେ ଡ଼ଙ୍ଗା ଓ ଟ୍ରଲର ଜବତ ସହ ଜରିମାନାର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ଜିଲ୍ଲା ସହକାରୀ ମତ୍ସ୍ୟ ଅଧିକାରୀ ।
ରାଜ୍ୟର ଋଷିକୁଲ୍ୟା ଓ ଦେବୀନଦୀ ମୁହାଣକୁ ପ୍ରତିବର୍ଷ ନଭେମ୍ୱର ମାସରୁ ମେ ମାସ ମଧ୍ୟରେ ବିରଳ ପ୍ରଜାତିର ଅଲିଭ୍ ରିଡ଼ଲେ କଇଁଛ ସଙ୍ଗମ ଓ ଅଣ୍ତାଦାନ ପାଇଁ ଆସିଥାନ୍ତି । ସମୁଦ୍ର ମଧ୍ୟରେ ମୋଟର ଚାଳିତ ଡ଼ଙ୍ଗା, ବେଆଇନ୍ ଟ୍ରଲର ଚଳାଚଳ ଯୋଗୁଁ ବହୁ ସଂଖ୍ୟାରେ ଅଲିଭ୍ ରିଡ଼ଲେ କଇଁଛ ମୃତ୍ୟୁବରଣ କରିଥାନ୍ତି । ଏଥିସହ ଜୈବ ବିବିଧତା ମଧ୍ୟ ନଷ୍ଟ ହୋଇଥାଏ । ଏଣୁ ଏମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ସାମୁଦ୍ରିକ ମତ୍ସ୍ୟ ବିଭାଗ ଓ ଜଙ୍ଗଲ ବିଭାଗ ପକ୍ଷରୁ ମାଛଧରା ଉପରେ କଟକଣା ଲଗାଯାଇଥାଏ । ନଭେମ୍ୱର ୧ ଠାରୁ ମେ ୩୧ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ବଡ଼ ବଡ଼ ଟ୍ରଲର ମାଡରେ କଇଁଛଙ୍କ ମୃତ୍ୟୁ ହେଉଥିବା ବେଳେ ପ୍ରଶାସନର ନିଷ୍ପତ୍ତିକୁ ମତ୍ସ୍ୟଜୀବୀ ମାନେ ସ୍ୱାଗତ କରିଛନ୍ତି । ମାଛ ମାରିବାକୁ କଟକଣା ଲାଗିଥିଲେ ମଧ୍ୟ ମତ୍ସ୍ୟଜୀବୀମାନଙ୍କୁ ଆର୍ଥିକ ସହାୟତା ସରକାର୍ ଯୋଗାଇ ଦେଇଥାନ୍ତି ।