ବ୍ରହ୍ମଗିରି: ଚିଲିକା ରାଜହଂସ ନିକଟରେ 1ମାସ ରୁ ଉର୍ଦ୍ଧ୍ବ ଦିନ ଧରି ଫସି ରହିଛି ମାଲେସିଆ ଜାହାଜ 'ଜିନ୍ ହ୍ୱା-32' । ଜାହାଜରୁ ପ୍ରଥମେ ପ୍ରାଥମିକ ପର୍ଯ୍ୟାୟରେ ତେଲ କଢା ଯିବା ପରେ ଏବେ ଗନ୍ତବ୍ୟସ୍ଥଳକୁ ନେଇଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । 'ଜିନ୍ ହ୍ୱା-32' କୁ ନେବା ପାଇଁ ଶନିବାର ସିଙ୍ଗାପୁରରୁ 'ଏମ ଡ଼ି ଚିତା' ନାମକ ଏକ ଜାହାଜ ପହଁଚିଛି ।
ରବିବାର ଦିନ ମାଲେସିଆ ଜାହାଜର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଜାହାଜରେ ଆସିଥିବା 10 ଜଣ କୁଶଳୀ କାରିଗର ଏଥିରେ ନିୟୋଜିତ ହୋଇଛନ୍ତି । ଏହାସହ ସ୍ଥାନୀୟ ଲୋକଙ୍କ ସମେତ ଟ୍ରାକ୍ଟର ଓ ଡୋଜରକୁ ମଧ୍ୟ ବ୍ୟବହାର କରାଯାଇଛି । ସିଙ୍ଗାପୁରରୁ ଆସିଥିବା ଜାହାଜଟି କୂଳ ଠାରୁ 1କି.ମି ଦୂରରେ ରହିଛି । ସେହିଠାରୁ ହିଁ ଦଉଡି ସାହାଯ୍ୟରେ ଅକାମି ଜାହାଜକୁ ଟାଣି ନେବ ବୋଲି ସୂଚନା ମିଳିଛି ।