ଓଡିଶା

odisha

ETV Bharat / state

ଶ୍ରୀକ୍ଷେତ୍ରରେ ଜମୁଛି ସାହିଯାତ, ଅନୁଷ୍ଠିତ ହେଲା ରାବଣ ବଧ ନୀତି - ସାହିଯାତରେ ଆଜି ରାବଣ ବଧ ନୀତି ଅନୁଷ୍ଠିତ ହୋଇଛି

ଶ୍ରୀକ୍ଷେତ୍ରରେ ଜାରି ରହିଥିବା ସାହିଯାତରେ ଆଜି ରାବଣ ବଧ ନୀତି ଅନୁଷ୍ଠିତ ହୋଇଛି । ରାବଣ ରାକ୍ଷସ ସେନାଙ୍କ ସହ ଗୌଡ଼ବାଡ ସାହିସ୍ଥିତ ଯମେଶ୍ବରଙ୍କ ମନ୍ଦିରରେ ଥିବା ନିକୁମ୍ବିଲା ବଟମୂଳେ ଯଜ୍ଞ କରିଥିଲେ । ସେପଟେ ଶ୍ରୀରାମ ଓ ଲକ୍ଷ୍ମଣ ପଟୁଆରରେ ଯାଇ ଜଗନ୍ନାଥବଲ୍ଲଭ ମଠରେ ବିଜେ ହୋଇଥିଲେ । ସେଠାରେ ଶ୍ରୀରାମଙ୍କ ସହିତ ଯୁଦ୍ଧ ବେଳେ ରାବଣ ବଧ ହୋଇଥିଲା । ଅଧିକ ପଢ଼ନ୍ତୁ

ସାହିଯାତରେ ଅନୁଷ୍ଠିତ ରାବଣ ବଧ ନୀତି
ସାହିଯାତରେ ଅନୁଷ୍ଠିତ ରାବଣ ବଧ ନୀତି

By

Published : Apr 9, 2023, 10:56 PM IST

ସାହିଯାତରେ ଅନୁଷ୍ଠିତ ରାବଣ ବଧ ନୀତି

ପୁରୀ: ସାଂସ୍କୃତିକ ମହାକୁମ୍ଭ ତଥା ଶ୍ରୀକ୍ଷେତ୍ରର ସଂସ୍କୃତି ଓ ପାରମ୍ପରିକ ସମରକଳାର ପ୍ରତୀକ ହେଉଛି ସାହିଯାତ ବା ସାହିଯାତ୍ରା । ଏହି ଯାତ୍ରାରେ ପ୍ରଭୁ ଶ୍ରୀରାମଙ୍କ କଥା ବସ୍ତୁ ପରିବେଷଣ ହୋଇଥାଏ । ମହାପ୍ରଭୁଙ୍କ ଶ୍ରୀରାମ ଲୀଳାର ମହତ୍ତ୍ବପୂର୍ଣ୍ଣ ଅଂଶ ହେଉଛି ସାହିଯାତ । ତେବେ ଗତକାଲି ସେତୁବନ୍ଧ ନୀତି ସମ୍ପନ୍ନ ହେବା ପରେ ବାଲିସାହି ପକ୍ଷରୁ ଆଜି(ରବିବାର) ରାବଣ ବଧ ନୀତି ଅନୁଷ୍ଠିତ ହୋଇଛି । ଶ୍ରୀକ୍ଷେତ୍ରରେ ରାମ ନବମୀଠାରୁ ଆରମ୍ଭ ହୋଇଥିବା ଏହି ପାରମ୍ପରିକ ଯାତ୍ରା ଆସନ୍ତା ଏପ୍ରିଲ ୧୫ ତାରିଖ ଯାଏଁ ଚାଲିବ । ଆସନ୍ତା ୧୫ ତାରିଖରେ ସାହିଯାତ୍ରାର ଶେଷ ପର୍ବ ରାମାଭିଷେକ ଉତ୍ସବ ଗୌଡବାଡ ସାହି ପକ୍ଷରୁ ଅନୁଷ୍ଠିତ ହେବ । ସାହିଯାତର ପ୍ରଥମ ଦିବସରୁ ପ୍ରଭୁ ଶ୍ରୀରାମଙ୍କ ବିଭିନ୍ନ ଲୀଳା ପ୍ରଦର୍ଶନ ହେଉଛି ।

ହିଞ୍ଜଳ ଯାଗା ପକ୍ଷରୁ ବଳଭଦ୍ର ମହାସୁଆର ଆଜି ସକାଳେ ରାବଣ ବନ୍ଧାଇ ସାହି ଭ୍ରମଣ କରିଥିଲେ । ଏହାପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣିଥିଲେ । ମନମୋହନ ମହାସୁଆର ରାବଣ ଚରିତ୍ରରେ ଅବତୀର୍ଣ୍ଣ ହୋଇଥିଲେ । ରାବଣଙ୍କ ସହ ରାକ୍ଷସ ସେନା ହରଚଣ୍ଡୀ ସାହି ଭ୍ରମଣ ପରେ ଗୌଡ଼ବାଡ ସାହିସ୍ଥିତ ଯମେଶ୍ବରଙ୍କ ମନ୍ଦିରରେ ଥିବା ନିକୁମ୍ବିଲା ବଟମୂଳେ ରାବଣ ଯଜ୍ଞ କରିଥିଲେ । ଶ୍ରୀମନ୍ଦିର ଭଗବତୀ କୋଟରେ ସ୍ବର୍ଗକୁ ନିଶୁଣି ଓ ଶକ୍ତି ପ୍ରାପ୍ତ ହୋଇଥିଲେ । ସେପଟେ ଶ୍ରୀରାମ ଓ ଲକ୍ଷ୍ମଣ ପଟୁଆରରେ ଯାଇ ଜଗନ୍ନାଥବଲ୍ଲଭ ମଠରେ ବିଜେ ହୋଇଥିଲେ । ସେଠାରେ ଶ୍ରୀରାମଙ୍କ ସହିତ ଯୁଦ୍ଧ ବେଳେ ରାବଣ ବଧ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ସାହିଯାତରେ ବନ୍ଧୁକ ଦେଖାଇ ମାରିଦେବାକୁ ଧମକ, ଅଭିଯୁକ୍ତ ଗିରଫ

ସାହିଯାତ ଚୈତ୍ର ଶୁକ୍ଳ ଅଷ୍ଟମୀ ଠାରୁ ବୈଶାଖ କୃଷ୍ଣ ଦ୍ବିତୀୟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ । ରାବଣ ବଧ ଅବସରରେ ବାଲିସାହିର ବିଭିନ୍ନ ଯାଗା, ଅନୁଷ୍ଠାନ ପକ୍ଷରୁ ନାଗା, ମେଢ଼, ନବଶିରା ଓ ସପ୍ତଶିରା ସାଙ୍ଗକୁ ଯାଗାର ଭେଣ୍ଡିଆମାନେ ତଲୱାର ଓ ବାଡ଼ି ଖେଳ ସହ ପାରମ୍ପରିକ ଖେଳ ପ୍ରଦର୍ଶନ କରିଥିଲେ । ଆଠସାହି ସମନ୍ଵୟ କମିଟିର କର୍ମକର୍ତ୍ତା ଶୃଙ୍ଖଳିତ ଭାବେ ସାହିଯାତ ସମାପନ ପାଇଁ ଜାଗ୍ରତ ରହିଥିଲେ । ରାତିରେ ସେତୁବନ୍ଧ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା । ହରଚଣ୍ଡୀ ସାହି ଯାଗା, ଆଖଡାରେ ବାଲିସାହି ଭେଣ୍ଡିଆଙ୍କ ପାଇଁ ଅତିଥି ଅଭ୍ୟାଗତର ବ୍ୟବସ୍ଥା ହୋଇଥିଲା । ଉଭୟ ସାହିର ମୁରବୀ ଭାଇଚାରା ବନ୍ଧନରେ ବାନ୍ଧି ହୋଇଥିଲେ । ସାହିଯାତ୍ରାର ଶେଷ ପର୍ବ ରାମଙ୍କ ରାଜ୍ୟାଭିଷେକ ଉତ୍ସବ ଆସନ୍ତା ୧୫ ତାରିଖରେ ଗୌଡବାଡ ସାହି ପକ୍ଷରୁ ସମ୍ପନ୍ନ ହେବ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details