ପୁରୀ: ପହଣ୍ଡିରେ ପ୍ରଥମେ ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର, ଶ୍ରୀସୁଭଦ୍ରା ଓ ଶ୍ରୀଜଗନ୍ନାଥ କ୍ରମାନ୍ବୟରେ ପହଣ୍ଡି ଯାତ୍ରା ଆରମ୍ଭ କରନ୍ତି । ଠାକୁରମାନେ ଶ୍ରୀମନ୍ଦିର ଉତ୍ତର ଦ୍ବାର ସପ୍ତ ପାହାଚ ଅତିକ୍ରମ କରି ଲକ୍ଷ୍ମୀମନ୍ଦିର ସମ୍ମୁଖରେ ଥିବା ପ୍ରଶସ୍ତ ପ୍ରଙ୍ଗଣକୁ ଆସନ୍ତି । ଏହାପରେ ପୂର୍ବମୁଖା ହୋଇ ଆନନ୍ଦ ବଜାରକୁ ଆସି ପୁଣି ଦକ୍ଷିଣ ମୁଖା ହୋଇ ବାଇଶି ପାହାଚ ଉପରକୁ ଆସନ୍ତି । ଏହାପରେ ପୂର୍ବମୁଖା ହୋଇ ବାଇଶି ପାହାଚ ଅତିକ୍ରମ କରି ବଡଦାଣ୍ଡ ଆସନ୍ତି ।
ପାହୁଣ୍ଡ ବା ପହୁଣ୍ଡ ଆଦି ଶବ୍ଦରୁ ପହଣ୍ଡି ଶବ୍ଦର ଉତ୍ପତ୍ତି । ପହଣ୍ଡି ହେବା ଅର୍ଥାତ ଧିରେ ଧିରେ ଅଗ୍ରସର ହେବା । ସୁଦର୍ଶନ ଓ ସୁଭଦ୍ରାଙ୍କୁ ଦଇତାମାନେ ଏକତ୍ରିତ ଭାବରେ ଉତ୍ତୋଳନ କରି ଆଣୁଥିବାବେଳେ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ପହଣ୍ଡେଇ ଆଣନ୍ତି । ଅର୍ଥାତ ପାହୁଣ୍ଡ ପାହୁଣ୍ଡ ହୋଇ ଆଗକୁ ଆସନ୍ତି । ପୁଣି ଟିକିଏ ଥକ୍କା ମାରି ଆଗକୁ ପାହୁଣ୍ଡ ପକାନ୍ତି । ଏହା ପ୍ରଭୁଙ୍କର ଦିବ୍ୟ ଲୀଳା ।