ପୁରୀ:ଜଗନ୍ନାଥ ଧାମ ପୁରୀରେ ରଥ ଟଣା ବେଳେ ଠେଲାପେଲା ପରିସ୍ଥିତି ଉପୁଜିଛି । ମରିଚିକୋଟ ଛକରେ ତାଳଧ୍ବଜ ରଥ ନିକଟରେ ପ୍ରଥମେ ଠେଲାପେଲା ହୋଇଥିଲା । ଏବେ ନନ୍ଦିଘୋଷ ରଥ ନିକଟରେ ଠେଲାପେଲା ହୋଇ 3 ଜଣ ଆହତ ହୋଇଥିବା ବେଳେ ପୁଣି ଆଉ ଥରେ ତାଳଧ୍ବଜ ରଥ ନିକଟରେ ଅଘଟଣ ଘଟିଛି । ଦ୍ବିତୀୟ ଥର ଲାଗି ତାଳଧ୍ବଜ ନିକଟରେ ହୋଇଥିବା ଠେଲାପେଲାରେ କଟକ ନିଆଳିର ସତ୍ୟବ୍ରତ ରାଉତ ଆହତ ହୋଇଛନ୍ତି । ଆହତମାନେ ତାଳେପଡିଯିବାରୁ ମୁହଁ, ହାତ, ଗୋଡରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି ।
ନନ୍ଦିଘୋଷ ରଥ ଟଣା ବେଳେ ଦଳା ଚକଟାରେ 3 ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ପୁରୀ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଆହତମାନେ ହେଲେ ଭଦ୍ରକ ଚାନ୍ଦବାଲିର ପୂର୍ଣ୍ଣଚନ୍ଦ୍ର ବେହେରା, ଭୁବନେଶ୍ଵର କାରଗିଲ ବସ୍ତିର ଜଣେ ନାବାଳକ ରାଜୀବ ପଣ୍ଡା, ଫୁଲବାଣୀର ମଳୟ ରଞ୍ଜନ ସାହୁ । ରଥ ଟାଣିବା ବେଳେ ପ୍ରବଳ ଭିଡ଼ ଯୋଗୁଁ ଠେଲା ପେଲା ହୋଇ ଦଳାଚକଟା ହୋଇଛି । ସେପଟେ ବଲଭଦ୍ରଙ୍କ ରଥ ନିକଟରେ ପୁଣି ଦଳା ଚକଟା ହୋଇଛି । କଟକ ନିଆଳିର ସତ୍ୟବ୍ରତ ରାଉତ ଆହତ ହୋଇଛନ୍ତି । ଆହତମାନେ ତଳେ ପଡିଯିବାରୁ ମୁହଁ, ହାତ, ଗୋଡରେ ଆଘାତ ଲାଗିଛି ।
ଅପରାହ୍ନ ସମୟରେ ପ୍ରଥମେ ତାଳଧ୍ବଜ ରଥ ଟଣା ବେଳେ ଠେଲାପେଲା ବେଳେ ଏକାଧିକ ଭକ୍ତ ଆହତ ହୋଇଥିଲେ । ମରିଚିକୋଟ ଛକରେ ଠେଲାପେଲାରେ ଆହତ ଶ୍ରଦ୍ଧାଳୁଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଥିଲା । ରଥ ଟଣା ବେଳେ ଜଣେ ମହିଳା ଶ୍ରଦ୍ଧାଳୁ ପ୍ରବଳ ଖରା ଯୋଗୁଁ ତଳେ ପଡ଼ିଯିବା ପରେ ଦଳାଚକଟା ଭଳି ସ୍ଥିତି ଉପୁଜିଥିଲା । ଦଳାଚକଟାରେ ୧୪ ଜଣଙ୍କ ଚିକିତ୍ସା ଜାରି ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ତେବେ ପ୍ରବଳ ଖରା ଗରମ ପାଇଁ 350ରୁ ଅଧିକ ବ୍ୟକ୍ତି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ମଧ୍ୟ ସୂଚନା ରହିଛି ।
ମିଳିଥିବା ସୂଚନା ଅନୁସାରେ ଆଜି ପୁରୀରେ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ମଧ୍ୟ ଅନୁଭୂତ ହେଉଛି । ଏଣୁ ଅସହ୍ୟ ଖରା ସହିନପାରି ପ୍ରଥମେ ମହିଳା ଶ୍ରଦ୍ଧାଳୁ ଜଣକ ତଳେ ପଡ଼ିଯାଇଥିଲେ । ଏହି ସମୟରେ ରଥଟଣା ଜାରି ରହିଥିବା ବେଳେ ଅନ୍ୟ ଶ୍ରଦ୍ଧାଳୁ ତାଙ୍କ ଉପରେ ଚଢିଯିବା ଫଳରେ ଦଳାଚକଟା ଭଳି ପରିସ୍ଥିତି ଉପୁଜିଥିଲା । ସ୍ଥିତି ଅସମ୍ଭାଳ ହେବା ପୂର୍ବରୁ ସଙ୍ଗେ ସଙ୍ଗେ ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମଚାରୀ ମହିଳାଙ୍କୁ ଉଠାଇନେଇଥିଲେ । ଏହି ଠେଲାପେଲା ସମୟରେ ଅନ୍ୟ କିଛି ଶ୍ରଦ୍ଧାଳୁ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି ।