ପୁରୀ:ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ପବିତ୍ର ରଥଯାତ୍ରା । ଭକ୍ତ ଓ ଭଗବାନଙ୍କ ମହାମିଳନର ମହାପର୍ବ । ରତ୍ନ ସିଂହାସନ ଛାଡି ବଡଦାଣ୍ଡକୁ ଓହ୍ଲାଇବେ ଶ୍ରୀଜୀଉ । ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ । ରଥରେ ବିଜେ କରି ନବଦିନାତ୍ମକ ଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ଯିବେ କାଳିଆ ସାଆନ୍ତେ । ରଥଯାତ୍ରା ପାଇଁ ସଜେଇ ହୋଇଛି ଶ୍ରୀମନ୍ଦିର ଓ ବଡଦାଣ୍ଡ । ସିଂହଦ୍ବାର ସମ୍ମୁଖରେ ଦାରୁଦିଅଁଙ୍କ ଅପେକ୍ଷାରେ ରହିଛି ୩ ରଥ । ଦୁଲୁକୁଛି ବଡଦାଣ୍ଡ, ଲୋକାରଣ୍ୟ ହେବାରେ ଲାଗିଛି ଶ୍ରୀକ୍ଷେତ୍ର । ଦେଶ ବିଦେଶର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଭକ୍ତଙ୍କ ଶ୍ରୀକ୍ଷେତ୍ରରୁ ସୁଅ ଛୁଟୁଛି । ରଥ ଉପରେ ଚକାଆଖିଆକୁ ଆଖି ପୁରାଇ ଦର୍ଶନ କରିବା ପାଇଁ ସମସ୍ତେ ଚାହିଁ ବସିଛନ୍ତି । ମଣିମାଙ୍କୁ ଚର୍ମଚକ୍ଷୁରେ ଦର୍ଶନ କରିବାକୁ ବ୍ୟାକୁଳ ହେଉଛି ଭକ୍ତ ମନ । ଆଜି ସକାଳ ସାଢେ ୯ଟାରେ ଠାକୁରମାନଙ୍କ ପହଣ୍ଡି ହେବ । ଅପରାହ୍ନ ୪ଟାର ରଥଟଣା ଆରମ୍ଭ ହେବ ।
ଘୋଷଯାତ୍ରା ନୀତିନିର୍ଘଣ୍ଟ: ରଥଯାତ୍ରା ପାଇଁ ନୀତିନିର୍ଘଣ୍ଟ ଅନୁସାରେ, ଆଜି ସକାଳ ୬ଟାରେ ମହାପ୍ରଭୁଙ୍କ ମଙ୍ଗଳା ନୀତି ଓ ୬ଟା ୨୦ରେ ମଇଲମ ନୀତି ସମ୍ପନ୍ନ ହୋଇଛି । ସାଢେ ୬ଟାରେ ତଡପ ଲାଗି ଓ ରୋଷ ହୋମ, ୭ଟାରେ ଅବକାଶ, ୭ଟା ୧୦ରେ ସୂର୍ଯ୍ୟପୂଜା, ସାଢେ ୭ଟାରେ ଦ୍ବାରପାଳ ପୂଜା ଓ ବେଶ ଶେଷ ହୋଇଛି । ସକାଳ ୮ଟାରେ ଖେଚୁଡି ଭୋଗ ଲାଗି ହେବ । ସକାଳ ୯ଟାରେ ରଥ ପ୍ରତିଷ୍ଠା, ୯ଟା ୧୫ରେ ମଙ୍ଗଳର୍ପଣ, ସାଢେ ୯ଟାରେ ପହଣ୍ଡି ଆରମ୍ଭ ହେବ ।