ପୁରୀ: ଶ୍ରୀକ୍ଷେତ୍ରରେ ଚାଞ୍ଚଲ୍ୟ । ବଦନାମ ହେଲା ବର୍ଦ୍ଦି । ପୁରୀ ଝାଡେଶ୍ବରୀ କ୍ଲବ ନିକଟସ୍ଥ ଏକ କ୍ବାର୍ଟରରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ ପୀଡିତା କାକଟପୁର ଅଞ୍ଚଳର । ଏ ଘଟଣାରେ 4 ଜଣ ପୋଲିସ କର୍ମୀ ସମ୍ପୃକ୍ତ ଥିବା ବେଳେ ସେମାନଙ୍କ ମଧ୍ୟରୁ 2ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି ପୀଡିତା । ଏନେଇ କୁମ୍ଭାରପଡା ଥାନାରେ ଏତଲା ଦିଆଯାଇଛି । ପୁରୀ ଏସପିଙ୍କ ତତ୍ତ୍ବାବଧାନରେ ତଦନ୍ତ ଆରମ୍ଭ ହୋଇଛି ।
ଘଟଣାରେ ଜଣେ ପୋଲିସ କନଷ୍ଟେବଳଙ୍କୁ ଅଟକ ରଖାଯାଇଛି । ଅଭିଯୁକ୍ତ ଜଣଙ୍କ ହେଲେ ଜିତେନ୍ଦ୍ର ସେଠୀ । ସେ ଏବେ ଚାକିରୀରୁ ସସପେଣ୍ଡ ଥିବା ଜଣାପଡିଛି । ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇ ଦାବି ଜୋର ଧରିଛି । ତେବେ ପୀଡିତା ଅଭିଯୋଗ କରିଛନ୍ତି ସେ ସୋମବାର ଦିନ 2ଟା ବେଳେ ନିମାପଡାରୁ କାକଟପୁର ଯିବା ପାଇଁ ବସକୁ ଅପେକ୍ଷା କରିଥିଲେ । ଏହି ସମୟରେ ଅଭିଯୁକ୍ତ ଜିତେନ୍ଦ୍ର ନିଜର ପୋଲିସ ପରିଚୟ ପତ୍ର ଦେଇ ତାଙ୍କୁ ସାହାଯ୍ୟ ପାଇଁ କହିଥିଲା । ତେବେ ସେ ମନା କରିଥିଲେ ମଧ୍ୟ ବିଶ୍ବାସ ଜନ୍ମାଇ ତାଙ୍କୁ ଏକ କାରରେ ଆଣିଥିଲେ । ପରେ କାକଟପୁର ନ ନେଇ ସେ ତାଙ୍କୁ ପୁରୀ ଆଣିଥିଲେ ବୋଲି ଅଭିଯୋଗ ହୋଇଛି ।