ପୁରୀ: ସନାତନ ଧର୍ମରେ ଅନେକ ପର୍ବପର୍ବାଣୀ ଲାଗି ରହିଥାଏ । ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପର୍ବ ଭାରତବର୍ଷରେ ପାଳନ ହୁଏ । ଓଡିଶାରେ ମଧ୍ୟ ବାର ମାସରେ ତେର ପର୍ବ ପାଳନ ହୋଇଆସୁଛି ।
ସେହି କ୍ରମରେ ଆଜି ହେଉଛି ଶ୍ରୀମନ୍ଦିର ରେ ରାଧାଷ୍ଟମୀ ନୀତି । ନୀତି ପରମ୍ପରା ଅନୁସାରେ ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ରାଧାଅଷ୍ଟମୀ ପର୍ବ ପାଳନ କରାଯାଏ । ଏହି ଦିନ ସକାଳ ଧୂପ ପୂଜା ସରିବା ପରେ ଲକ୍ଷ୍ମୀ ଠାକୁରାଣୀଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପ୍ରାପ୍ତ ହୋଇ ଶ୍ରୀମନ୍ଦିର ସାତ ପାହଚ ଦ୍ବାର ତଳେ ଥିବା ପାଲିଙ୍କିରେ ବିଜେ ପୁର୍ବକ ଲକ୍ଷ୍ମୀ ମନ୍ଦିର ଜଗମୋହନରେ ପଡିଥିବା ଖଟ ଉପରେ ଅଧିଷ୍ଠିତ ହୋଇଥାନ୍ତି । ଏଠାରେ ମା ଲକ୍ଷ୍ମୀ ଦେବୀଙ୍କର ଅଭିଶେକ ଓ ଶୀତଳ ଭୋଗ ହୋଇ ବନ୍ଦାପନା କରାଯାଏ । ପରେ ରତ୍ନସିଂହାସନରେ ମଧ୍ୟାହ୍ନ ଧୂପ ପରେ ଲକ୍ଷ୍ମୀ ଦେବୀଙ୍କୁ ସିଂହାସନରେ ବିଜେ କରାଯାଏ ଓ ଉକ୍ତ ଭୋଗ ସାରି ଭିତରେ ପାଣି ପଡିବା ପରେ ମହାଜନ ସେବକ ଭୂଦେବୀ ଓ ଶ୍ରୀଦେବୀଙ୍କୁ ହାତରେ ନେଇ ଶଯ୍ଯା ଘରେ ବିଜେ କରାଇଥାନ୍ତି ।