ପୁରୀ: ବାଲୁକା ଶିଳ୍ପୀ ସୁଦାମ ପ୍ରଧାନଙ୍କ ନିଆରା ସୁଦାମ ଆର୍ଟ ମ୍ୟୁଜିୟମ । ଯେଉଁଠି ରହିଛି ଆଖି ଲାଖିଲା ଭଳି ବାଲୁକାକଳା ପ୍ରତିକୃତି । ଏହି ମ୍ୟୁଜିୟମ ଏବେ ପୁରୀ କୋଣାର୍କ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏବେ ମୁଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ଏଠାକୁ ଯିଏ ଥରେ ଆସୁଛି ବାଲୁକାକଳା ଦେଖି ବନ୍ଧା ପଡି ଯାଇଛି । ଦେଶର ପ୍ରଥମ ସ୍ୟାଣ୍ଡ ଆର୍ଟ ବିଷୟରେ ଜାଣନ୍ତୁ କିଛି ଖାସ୍ କଥା ।
ପୁରୁଷୋତ୍ତମ କ୍ଷେତ୍ର ଶ୍ରୀକ୍ଷେତ୍ର । ନାଁ ଶୁଣିବା ମାତ୍ରେ ମନରେ ନାଚି ଉଠେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର, ବଡଦାଣ୍ଡ, ମହାପ୍ରସାଦ ଓ ବିସ୍ତୀର୍ଣ୍ଣ ବେଳାଭୂମି । ଅପୂର୍ବ ସୌନ୍ଦର୍ଯ୍ୟ ପାଇଁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ପୁରୀ ଏବେ ବାଲୁକା କଳା ପାଇଁ ପାଇଛି ନିଆରା ପରିଚୟ । ଓଡିଶାର ଜଣେ ଜଣାଶୁଣା ବାଲୁକା ଶିଳ୍ପୀ ସୁଦାମ ପ୍ରଧାନଙ୍କ ଦ୍ବାରା ପ୍ରତିଷ୍ଠିତ ଦେଶର ପ୍ରଥମ ସୁଦାମ ସ୍ୟାଣ୍ଡ ଆର୍ଟ ମ୍ୟୁଜିୟମ ଏବେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ପୁରୀ ମେରାଇନ ଡ୍ରାଇଭ ରାସ୍ତାରେ ଥିବା ଏହି ମ୍ୟୁଜିୟମରେ ରହିଛି, ବାଲୁକାକଳାର ନିଖୁଣ କଳାକୃତି । ମହାପ୍ରଭୁ ଶ୍ରୀଜଗନ୍ନାଥ, ଗଣେଶ, ଦେବୀ ଦୁର୍ଗା, ଜାତିର ପିତା ମହାତ୍ମା ଗାନ୍ଧୀ, ପ୍ରେମର ପ୍ରତୀକ ତାଜମହଲ ଓ ହଲିଉଡର ଗୋରିଲାକୁ ଅତି ନିଖୁଣ ଭାବେ ବାଲୁକା କଳାରେ ଜୀବନ୍ତ କରିଛନ୍ତି ସୁଦାମ ।
ଅନ୍ୟପଟେ ଏହି ମ୍ୟୁଜିୟମର ଅନ୍ୟତମ ଆକର୍ଷଣ ପାଲଟିଛି ଆନିମେନସ ଷ୍ଟୁଡିଓ । ମାତ୍ର 4ରୁ 5 ମିନିଟରେ ଶ୍ରୀମନ୍ଦିର, କୋଣାର୍କ ଭଳି ବିଭିନ୍ନ ଆକର୍ଷଣୀୟ ସ୍ୟାଣ୍ଡ ଆନିମେସନ କରୁଛନ୍ତି ସୁଦାମ । ତେବେ ପୁରୀ ଆସୁଥିବା ପର୍ଯ୍ୟଟକ ବର୍ଷର ସବୁ ସମୟରେ ବାଲୁକା କଳା କିପରି ଦେଖିପାରିବେ, ସେଥିପାଇଁ ଏପରି ନିଆରା ପରିକଳ୍ପନା କରିଛନ୍ତି ସେ । ଯାହାକୁ ଦେଖିବାକୁ ପ୍ରତିଦିନ ଜମୁଛି ଶହ ଶହ ପର୍ଯ୍ୟଟକଙ୍କ ଭିଡ ।