ପୁରୀ: ଆସନ୍ତାକାଲି (ଗୁରୁବାର) ଶ୍ରୀକ୍ଷେତ୍ର ଭଉଁରୀ ପର୍ବ । ଏଥିସହିତ ମହାପ୍ରଭୁଙ୍କ 21 ଦିନ ବ୍ୟାପି ନରେନ୍ଦ୍ର ପୁଷ୍କରିଣୀରେ ଚାଲିଥିବା ବାହାର ଚନ୍ଦନଯାତ୍ରାର ଶେଷ ଦିନ । ଏଣୁ, ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏନେଇ ପୁରୀ ଏସପି କେ.ବିଶାଳ ସିଂ ପୋଲିସ ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି ।
ଶ୍ରୀକ୍ଷେତ୍ର ଭଉଁରୀ ଉତ୍ସବ ନେଇ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ପୁରୀ ଏସପି ଏସପିଙ୍କ ସୂଚନା ଅନୁଯାୟୀ ଲୋକଙ୍କ ସହଯୋଗ ଯୋଗୁଁ ବିନା ଭକ୍ତରେ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଅନୁଷ୍ଠିତ ହେଉଛି । ଶେଷ ଦିନରେ ବି ଲୋକଙ୍କ ସହଯୋଗ ନିଶ୍ଚିତ ରହିବ ଏବଂ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ସୁରୁଖୁରୁରେ ସମାପନ ହେବ ବୋଲି ଏସପି ଆଶା ପ୍ରକାଶ କରିଛନ୍ତି । ତେବେ ଶେଷ ଦିନକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ପାଇଁ 5 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ସମେତ ଏକ ପ୍ଲାଟୁନ ରିଜର୍ଭରେ ରହିବେ ।
ସେହିପରି ରଥ ଖଳାରେ କାମ ସୁରୁଖୁରୁରେ ହେବା ପାଇଁ ରଥ ଖଳା ପରିସୀମା ବଢା ଯିବ । ଏଣୁ, କିଭଳି ବଡ଼ ଦାଣ୍ଡରେ ଟ୍ରାଫିକ ବ୍ୟବସ୍ଥା ସୁଗମ ହୋଇପାରିବ ସେନେଇ ଏସପି ସମୀକ୍ଷା କରିଛନ୍ତି । ଅନ୍ୟପଟେ ଆଗାମୀ 24 ତାରିଖରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ରହିଛି । ଏଣୁ, କିଭଳି ସୁରକ୍ଷା ବ୍ୟବସ୍ଥା ରହିବ ଏବଂ କେଉଁ ଅଫିସର କେଉଁ ସ୍ଥାନରେ ରହିବେ ସେନେଇ ଆଲୋଚନା ହୋଇଛି । ତେଣେ ପୂର୍ବ ବର୍ଷ ଭଳି ଏଥର ସେହି ସମାନ ପୋଲିସ ବ୍ୟବସ୍ଥା ରହିବ ବୋଲି ପୁରୀ ଏସପି କହିଛନ୍ତି । ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦେବସ୍ନାନ ପୂର୍ଣ୍ଣିମାକୁ ନେଇ ଏସଓପି ଆସିବା ପରେ ପୋଲିସ ତାର ଦାୟିତ୍ୱ ନିର୍ବାହ କରିବ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ