ପୁରୀ: ଦିର୍ଘ 9 ମାସ ପରେ ଖୋଲିଛି ଶ୍ରୀମନ୍ଦିର, ମିଳିଛି ଜଗା ଦର୍ଶନ। ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ, ଆଜିଠାରୁ ପ୍ରଥମ ପର୍ଯ୍ୟାୟରେ ସେବାୟତଙ୍କ ପରିବାର ଲୋକେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ସକାଳ ୭ଟା ୩୦ମି ରୁ ଦର୍ଶନ ଆରମ୍ଭ ହୋଇ ପହୁଡ଼ ପର୍ଯ୍ୟନ୍ତ ଜଗା ଦର୍ଶନ କରିପାରିବେ ସେବାୟତ ପରିବାର ଲୋକେ।
ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ସେବାୟତ ପରିବାର ଲୋକେ ପ୍ରଥମ ପର୍ଯ୍ୟାୟରେ ମହାପ୍ରଭୁଙ୍କ ଦର୍ଶନ କରିବେ। ପୂର୍ବରୁ ରଥଯାତ୍ରା , ଆଡ଼ପ ମଣ୍ଡପ ଦର୍ଶନ, ଦୁର୍ଲ୍ଲଭ ନଗାର୍ଜୁନ ବେଶ ଦର୍ଶନରୁ ଭକ୍ତଙ୍କ ସମେତ ସେବାୟତଙ୍କ ପରିବାର ଲୋକ ବଞ୍ଚିତ ହୋଇଥିଲେ । ତେବେ ଦୀର୍ଘ 9 ମାସ ପରେ ଶ୍ରୀମନ୍ଦିର ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଦର୍ଶନ ପାଇ ଭାବବିହ୍ବଳ ହୋଇଛନ୍ତି ସେବାୟତ ପରିବାର ଲୋକେ । ତେବେ କୋଭିଡ କଟକଣା ମାନି ମୁହଁରେ ମାସ୍କ ପିନ୍ଧିବା ସହ ସାନିଟାଇଜର ବ୍ୟବହାର କରି, ଶ୍ରୀମନ୍ଦିର ଭିତରେ କୌଣସି ସ୍ଥାନ ସ୍ପର୍ଶ ନକରି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।
ଅନ୍ୟପଟେ ଅସନ୍ତା 26 ତାରିଖରୁ ପୁରୀ ସହରବାସୀ ପର୍ଯ୍ୟାୟ କ୍ରମେ ମହାପ୍ରଭୁଙ୍କ ଦର୍ଶନ କରିବେ । ଏନେଇ ଏସଓପି ପ୍ରସ୍ତୁତ ହୋଇଛି। ସୂଚନା ମୁତାବକ, ଜୋତା ଷ୍ଟାଣ୍ଡ ନିକଟରେ ଜୋତା ରଖି ଫଟୋ ଉଠାଇ ନିଜର ପରିଚୟପତ୍ର ଦେଖାଇ ସାନିଟାଇଜ ପରେ ଦର୍ଶନ ପାଇଁ ମନ୍ଦିରକୁ ଯିବେ । ଏନେଇ ୱାର୍ଡୱାରୀ ତାଲିକା ପ୍ରସ୍ତୁତ ହୋଇଛି । ସେହିପରି ୨୬ ତାରିଖ ସକାଳ ୭ଟା ୩୦ମି.ରୁ ଦର୍ଶନ ଆରମ୍ଭ ହେବ । ପ୍ରଥମଦିନ ୨, ୩ ,୬ ,୯ ,୧୧ ,୧୨ ,୧୫ ନମ୍ବର ୱାର୍ଡବାସୀ ଜଗା ଦର୍ଶନର ସୁଯୋଗ ପାଇବେ ।