ପୁରୀ: ଚାରି ଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ ଦାବିର ଏକ ପ୍ରକାର ଅନ୍ତ ଘଟିଛି । ଆସନ୍ତାକାଲିଠାରୁ ଶ୍ରୀମନ୍ଦିର ପଶ୍ଚିମ ଦ୍ଵାର ଦେଇ ପୁରୀ ବାସିନ୍ଦା ପରିଚୟ ପତ୍ର ଦେଖାଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ । ସେହିପରି ସିଂହଦ୍ବାର ସମ୍ମୁଖରେ ଥିବା ସେବାୟତ ଓ କର୍ମଚାରୀମାନଙ୍କ ପାଇଁ ରହିଥିବା ସ୍ବତନ୍ତ୍ର ପ୍ରବେଶ ପଥରେ ମଧ୍ୟ ପୁରୀ ବାସିନ୍ଦା ପରିଚୟ ପତ୍ର ଦେଖାଇ ପ୍ରବେଶ କରିପାରିବେ । ଆଜି ପ୍ରଶାସନିକସ୍ତରରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନିଆଯାଇଥିବା ବେଳେ ଏ ସଂକ୍ରାନ୍ତରେ ପୁରୀ ଉପଜିଲ୍ଲାପାଳ ଭବ ତରଣ ସାହୁ ସୂଚନା ଦେଇଛନ୍ତି ।
ଛତିଶା ନିଯୋଗ ନିଷ୍ପତି ଅନୁଯାୟୀ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ନେଇ ଗଠିତ ସ୍ବତନ୍ତ୍ର ସବ୍କମିଟିର ଆଜି ବୈଠକ ବସିଥିବା ବେଳେ ଏଥିରେ ଏଭଳି ନିଷ୍ପତି ଗ୍ରହଣ କରାଯାଇଛି । ନିଷ୍ପତି ଅନୁସାରେ ଆସନ୍ତାକାଲିଠାରୁ ଦର୍ଶନ ପାଇଁ ପୁରୀ ବାସିନ୍ଦାଙ୍କୁ ପ୍ରବେଶ ନେଇ ଅନୁମତି ଥିବାବେଳେ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଯାଇଛି । ସେହିଭଳି ଅନ୍ୟ ଦୁଇ ଦ୍ବାର ତଥା ଉତ୍ତର ଓ ଦକ୍ଷିଣ ଦ୍ବାର ଦେଇ ଭକ୍ତଙ୍କ ପ୍ରବେଶ ନେଇ ପରବର୍ତ୍ତୀ ସମୟରେ ନିଷ୍ପତି ନିଆଯିବ ବୋଲି ଆଜି ବୈଠକରେ ଆଲୋଚନା ହୋଇଥିବା ଜଣା ପଡିଛି । ବୈଠକରେ ପୁରୀ ଜିଲ୍ଲାପାଳ, ଏସ୍ପି ଓ ଉପଜିଲ୍ଲାପାଳଙ୍କ ସମେତ ପରିଚାଳନା କମିଟିର ୫ ଜଣ ସେବାୟତ ସଦସ୍ୟ ଓ ଛତିଶା ନିଯୋଗର ଅନ୍ୟ ୩ ଜଣ ବରିଷ୍ଠ ସେବାୟତ ସଦସ୍ୟ ଉପସ୍ଥିତ ଥିଲେ ।