ପୁରୀ: କୋରୋନା ସଂକ୍ରମଣକୁ ନେଇ ରାଜ୍ୟରେ ଯେତିକି ଚର୍ଚ୍ଚା ସେତିକି ଚର୍ଚ୍ଚା ମଧ୍ୟ ଚଳିତବର୍ଷ ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ। ସରକାର ରଥଯାତ୍ରାରେ ଲକ୍ଷ ଲକ୍ଷ ଲୋକଙ୍କ ଭିତରେ କିଭଳି ସାମାଜିକ ଦୂରତ୍ବ ରଖିବେ ସେ ନେଇ ବଡ ପ୍ରଶ୍ନ। କେଵଳ ସେତିକି ନୁହେଁ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରଥଯାତ୍ରା ଅୟୋଜନ ହେବ କି ନାହିଁ ଏବଂ ରାଜ୍ୟ ସରକାରଙ୍କ କ'ଣ ନିଷ୍ପତ୍ତି ରହିବ ସେ ନେଇ ଚାଲିଛି ଆଲୋଚନା ପର୍ଯ୍ୟାଲୋଚନା।
ତେବେ ଇତିମଧ୍ୟରେ ବଡ ସଙ୍କେତ ଆସିଛି ରଥଯାତ୍ରା ଅୟୋଜନକୁ ନେଇ । ଚଳିତବର୍ଷ ରଥଯାତ୍ରା ବିନା ଭକ୍ତଙ୍କ ଉପସ୍ଥିତରେ ହେବ। ଭକ୍ତଙ୍କ ପାଇଁ କଟକଣା ରହିବ। ପୁରୀ ବାହାରୁ କୌଣସି ଭକ୍ତଙ୍କ ପୁରୀ ଆସିବାକୁ ଅନୁମତି ଦିଆଯିବ ନାହିଁ। କେବଳ ରଥଯାତ୍ରାକୁ ନେଇ ସେବା ପୂଜା ଥିବା ଅଳ୍ପ କିଛି ସେବାୟତ ରଥଯାତ୍ରାରେ ସାମିଲ ହେବେ। ଏ ନେଇ ବିଭିନ୍ନ ସେବାୟତ ନିଯୋଗ ମଧ୍ୟରେ ଆଲୋଚନା ହୋଇଛି। ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଅନନ୍ତ ତିଆଡି ଏବଂ ବରିଷ୍ଠ ଦଇତାପତି ସେବକ ପ୍ରେମାନନ୍ଦ ଦାସ ମହାପାତ୍ର ଏହି ସୂଚନା ଦେଇଛନ୍ତି।
ସରକାରଙ୍କ ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ସମର୍ଥନ କରିବେ ସେବାୟତ । ପ୍ରଥମେ ମହାପ୍ରଭୁଙ୍କ ପରମ୍ପରା ରକ୍ଷା କରିବା ଗୁରୁତ୍ବପୂର୍ଣ୍ଣ। ସ୍ଥିତି ଭଲ ହେଲେ ସରକାର ଏହା ଉପରେ ନିଶ୍ଚିତ ଭଲ ନିଷ୍ପତ୍ତି ନେବେ ବୋଲି ସେବାୟତ ଆଶା ପ୍ରକାଶ କରିଛନ୍ତି। ସେହିଭଳି ଚନ୍ଦନ ଯାତ୍ରା ବି ସାମାଜିକ ଦୂରତ୍ବ ରଖାଯାଇ ପାଳନ କରାଯିବ।