ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଓ ଘୋଷଯାତ୍ରା । ରଥଖଳାରେ ରଥନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ଏପଟେ ଦୋଳବେଦୀ ମଧ୍ୟ ବେଶ୍ ଚଳଚଞ୍ଚଳ । କମାରଶାଳରେ କମାର ସେବକ, ରଥଖଳାରେ ମହାରଣା ସେବକ ଓ ଭୋଇ ସେବକଙ୍କ ଭଳି ଦୋଳବେଦୀରେ କରତିଆ ସେବକମାନେ ଗୟଳ ଚିରଟ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ।
ରଥକୁ ବାନ୍ଧି ରଖିବା ସହିତ ରଥର ସୌନ୍ଦର୍ଯ୍ୟ ବଢ଼େଇବ । ଏଥିପାଇଁ ରଥଖଳାରେ ଆବଶ୍ୟକ ପଡ଼େ ୪୦ ଫୁଟିଆ ଧଉରା କାଠ। ଏହି ବିଶାଳକାୟ କାଠକୁ ପୋଲ ଗୟଳ ମଧ୍ୟ କୁହାଯାଏ। କରତିଆ ସେବକମାନେ ଏହି ଲମ୍ବା ଧଉରା କାଠକୁ କରତ ଦ୍ବାରା ଚିରଟ କରିଥାନ୍ତି।
ତିନିରଥ ମଧ୍ୟରୁ ବଡ଼ଠାକୁରଙ୍କ ତାଳଧ୍ବଜ ରଥର ଗୟଳ ଚିରଟ କାର୍ଯ୍ୟ ଆରମ୍ଭ ହୋଇଛି। ଏହାପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଓ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଗୟଳ ଚିରଟ କାର୍ଯ୍ୟ ଆରମ୍ଭ କରାଯିବ। ତିନୋଟି କାଠରୁ ୬ ଟି ପଟ ବାହାର କରାଯିବା ପରେ ହିଁ ସ୍ନାନପୂର୍ଣ୍ଣିମାରେ ଚାରିନାହାକାର ଅନୁକୂଳ ହେବ ବୋଲି କହିଛନ୍ତି କରତିଆ ସେବକ।