ପୁରୀ: ପୁରୀ ଜିଲ୍ଲାରେ ବଢିଚାଲିଛି ମନ୍ଦିରରୁ ଚୋରି । ଦୁର୍ବୃତ୍ତକୁ ଧରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ । ତେବେ ଦୁର୍ବୃତ୍ତଙ୍କ ଟାର୍ଗେଟରେ ଏବେ ପୁରୀ ଜିଲ୍ଲାର ପୁରାତନ ମନ୍ଦିର । ସେହିପରି ମନ୍ଦିରରେ ଥିବା ଅଷ୍ଟ ଧାତୁ ମୂର୍ତ୍ତିକୁ ଲୁଟ କରିବାରେ ଲାଗିଛନ୍ତି ଲୁଟେରା । ଗତକାଲି କଣାସ ବକୁ ପଞ୍ଚାୟତ ଐସାନେଶ୍ବର ମନ୍ଦିରରୁ ମୂର୍ତ୍ତି ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ମନ୍ଦିର କବାଟ ଭାଙ୍ଗି ରାଧା କୃର୍ଷ୍ଣ ,ଶିବ ଓ ଦୁର୍ଗା ମୂର୍ତ୍ତି ଚୋରି କରି ନେଇଛନ୍ତି ।
ତେବେ ଏହି ଘଟଣାକୁ ପୁରୀ ପୋଲିସ ବେଶ ଗୁରୁତର ସହ ନେଇଥିବା ପୁରୀ ଏସପି କହିଛନ୍ତି । ଘଟଣାର ତଦନ୍ତ ଚାଲିଥିବା ବେଳେ ଜଣକୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି । ଏହା ପଛରେ ଏକ ଗ୍ୟାଙ୍ଗ କାମ କରୁଥିବା ବେଳେ ମୂର୍ତ୍ତି ଚୋର ଗ୍ୟାଙ୍ଗକୁ ଧରିବା ପାଇଁ ପୁରୀ ପୋଲିସ ପକ୍ଷରୁ 2ଟି ସ୍ୱତନ୍ତ୍ର ଟିମ କାମ କରୁଛି । ଏପଟେ ଏହି ଘଟଣା ପରେ ଜିଲ୍ଲା ମନ୍ଦିର କମିଟି ସହିତ ପୋଲିସ ଆଲୋଚନା କରି ମନ୍ଦିର ଗୁଡିକରେ ସିସିଟିଭି ଲଗାଇବା ନେଇ ବ୍ୟବସ୍ଥା କରିବାକୁ ଉଦ୍ୟମ କରାଯାଉ ଥିବା ପୁରୀ ଏସପି କହିଛନ୍ତି । ମନ୍ଦିରରୁ ମୂର୍ତ୍ତି ଚୋରି ଘଟଣାରେ ଅନେକ ସ୍ଥାନୀୟ ଲୋକ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି । ଅଷ୍ଟଧାତୁ ମୂର୍ତ୍ତିର ଦାମ ବେଶ ଅଧିକ ଥିବାରୁ କିଛି ଦୁର୍ବୁତ୍ତ ଲୁଟ କରୁଛନ୍ତି ।