ପୁରୀ:ଲୁଟେରାଙ୍କ ଟାର୍ଗେଟରେ ଏବେ ବିଭିନ୍ନ ବ୍ୟାଙ୍କ। ଦିନ ଦ୍ବିପ୍ରହରରେ ବ୍ୟାଙ୍କରେ ପଶି ବନ୍ଧୁକ ମୁନରେ ଲୁଟି ନେଉଛନ୍ତି ଲକ୍ଷାଧିକ ଟଙ୍କା। ତେବେ ଏପରି ଅପରାଧକୁ ରୋକିବା ସମେତ ବ୍ୟାଙ୍କ କର୍ମଚାରୀ ଏବଂ ଗ୍ରାହକଙ୍କ ସୁରକ୍ଷା ନେଇ ପୁରୀ ପୋଲିସ ପକ୍ଷରୁ ଏକ ମକଡ଼୍ରିଲ ଅନୁଷ୍ଠିତ ହୋଇଛି। ବ୍ୟାଙ୍କ ଭିତର ଡ଼କାୟତି ସମୟରେ ସୃଷ୍ଟି ହେଉଥିବା ପରିସ୍ଥିତିକୁ କିଭଳି ମୁକାବିଲା କରାଯାଇପାରିବ ସେ ନେଇ ଏହି ମକଡ଼୍ରିଲ କରାଯାଇଥିଲା।
ଅପରାହ୍ନ ୪.୩୫ ସମୟରେ ପୁରୀ ସୁବାଷ ବୋଷ ଛକ ସ୍ଥିତ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ବ୍ରାଞ୍ଚରେ ଏହି ମକଡ୍ରିଲ କରିଛି ପୋଲିସ । ହଠାତ ସାଇରନ ବାଜିବାରୁ ବ୍ୟାଙ୍କ ଭିତରେ ଭୟ ଓ ଆତଙ୍କର ବାତାବରଣ ଖେଳିଯାଇଥିଲା । ବ୍ୟାଙ୍କରେ ଡ଼କାୟତ ପଶିଥିବା ନେଇ ଗ୍ରାହକଙ୍କ ମଧ୍ୟରେ ଖେଳିଯାଇଥିଲା ଆତଙ୍କ। ଖବର ପାଇ ମାତ୍ର ୧୦ ମିନିଟ ଭିତରେ ପୁରୀ ଟାଉନ ଥାନା ପୋଲିସ ପହଞ୍ଚିଥିଲା ବ୍ୟାଙ୍କରେ। ମୁଖ୍ୟ ଗେଟ କିଛି ପାଖରେ ପୋଲିସ ଜଗି ରହିଥିବାବେଳେ ଥାନା ଆଇଆଇସିଙ୍କ ସହ ଆଉ କିଛି ପୋଲିସ ବ୍ୟାଙ୍କ ଭିତରକୁ ପ୍ରବେଶ କରି ଛାନଭିନ କରିଥିଲେ। ତେବେ ଏହି ସବୁ ଦୃଶ୍ୟ ଦେଖି ସମସ୍ତ ଗ୍ରାହକ ଭୟଭୀତ ଅବସ୍ଥାରେ ଥିବା ବେଳେ ଏହା ଏକ ସୁରକ୍ଷା ବ୍ୟବସ୍ଥା ସମ୍ପର୍କିତ ମକଡ୍ରିଲ ଥିଲା ବୋଲି ପୋଲିସ ସ୍ପଷ୍ଟ କରିବା ପରେ ସମସ୍ତେ ଆଶ୍ବସ୍ତ ହୋଇଥିଲେ ।