ପୁରୀ:ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ରହିଥିବା ନୀଳାଚଳ ଭକ୍ତ ନିବାସ ନାଁରେ ସାଇବର ଠକେଇ ଘଟଣା । ଏହାର ତଦନ୍ତ କରି ପୁରୀ ପୋଲିସ ୨ ଜଣ ସାଇବର ଠକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ନୀଳାଚଳ ଭକ୍ତନିବାସ ନାମରେ ଏକ ଫେକ୍ ୱେବସାଇଟ କରି ପର୍ଯ୍ୟଟକଙ୍କ ଠାରୁ ଲୁଟ କରାଯାଉଥିଲା । ଏନେଇ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ କରି ୨ଜଣଙ୍କ ଠକଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଅନ୍ୟପଟେ ସାଇବର ଠକାମି ଶିକାରରୁ ବର୍ତ୍ତିବା ପାଇଁ ପୁରୀ ପୋଲିସ ପକ୍ଷରୁ ଆଜି ଦ୍ବିତୀୟ ସାଇବର ଠକେଇ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ଗତ ନଭେମ୍ବର ୨୪ ତାରିଖ ୨୦୨୨ ମସିହାରେ ଶ୍ରୀମନ୍ଦିର ପ୍ରଶାସନର ଉନ୍ନୟନ ପ୍ରଶାସକ ଅଜୟ ଜେନାଙ୍କ ଅଭିଯୋଗ ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନୀଳାଚଳ ଭକ୍ତନିବାସ ନାମରେ ଏକ ନକଲି ୱେବସାଇଟ କରି ପର୍ଯ୍ୟଟକଙ୍କଠାରୁ ଲୁଟ କରୁଥିଲେ। ଏହି ଘଟଣାକୁ ତଦନ୍ତ କରି ପୁରୀ ପୋଲିସ କେନ୍ଦୁଝର ଅଗରପଡାର ଚନ୍ଦନ ସିଂ ଓ ଭଦ୍ରକ ଚରମ୍ପାର ଗୌତମ ସାହୁଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ମୁଖ୍ୟ ଅଭିଯୁକ୍ତକୁ ୱେବ ସାଇଟରେ ବ୍ୟବହାର ହେଉଥିବା ସିମ ଯୋଗାଉଥିବା ବେଳେ ସେମାନଙ୍କ ଠାରୁ ୫ଟି ମୋବାଇଲ ଫୋନ, ୩୧ଟି ସିମକାର୍ଡ, ଗୋଟିଏ ବାୟୋମେଟ୍ରିକ୍ ଡିଭାଇସ୍ ଓ କଡ୍ ଜବତ କରିଛି ।
ସେମାନଙ୍କ ବିରୁଦ୍ଧରେ ପୋଲିସ ୧୧୬/୨୦୨୨, ୪୯୯, ୪୨୦, ୧୨୦(b)IPC, ୬୬ (C), ୬୬( D), IT ACTରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ଏହି ଭକ୍ତ ନିବାସ ନାଁରେ ଠକାମିର ଶିକାର ହୋଇଥିବା ଭକ୍ତମାନେ ପୋଲିସକୁ ଉପଯୁକ୍ତ ପ୍ରମାଣ ଦେଖାଇଲେ ସେମାନେ ତାଙ୍କ ଅର୍ଥ ରାଶି ଫେରି ପାଇବେ। ତେବେ ସାଇବର ଠକାମି ଶିକାରରୁ ବର୍ତ୍ତିବା ପାଇଁ ପୁରୀ ପୋଲିସ ପକ୍ଷରୁ ଆଜି ଦ୍ବିତୀୟ ସାଇବର ଠକେଇ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଭିନ୍ନ ହୋଟେଲ ଆସୋସିଏସନ ମାନଂକୁ ନେଇ ଟାଉନ ଥାନା କନଫରେନ୍ସ ହଲଠାରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।