ପୁରୀ:ଦିନକୁ ଦିନ ବଢିବାରେ ଲାଗିଛି ପୁରୀରେ ଅସାମାଜିକ କର୍ଯ୍ୟକଳାପ । ଡକାୟତି, ଲୁଟପାଟ, ହତ୍ୟାକାଣ୍ଡ ମାମଲା ବୃଦ୍ଧି ପାଇଛି । ପୁରୀରେ ଅସାମାଜିକ କର୍ଯ୍ୟକଳାପ ରୋକିବା ପାଇଁ ଆକ୍ସନ ମୋଡରେ ପୋଲିସ । ଏହାରି ମଧ୍ୟରେ ଡକାୟତି ଉଦ୍ୟମ ପଣ୍ଡ କରିବା ସହ ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୁରୀ ପୋଲିସ । ୧୨ ଜଣ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ପୁରୀ ଡିଏସପି ।
ସୂଚନାନୁସାରେ ପୁରୀ ହରଚଣ୍ଡୀ ସାହି ସ୍ଥିତ ଚକ୍ରତୀର୍ଥ ଲେନ୍ କାଜୁ ଜଙ୍ଗଲରେ ୫ଜଣ ଯୁବକ ଡକାୟତି ଯୋଜନା କରୁଥିବା ପୋଲିସ ପାଖରେ ଖବର ପହଞ୍ଚିଥିଲା । ଟାଉନ ଥାନା ପୋଲିସ ସେଠାରେ ପହଞ୍ଚି ଚଢାଉ କରିଥଲା । ୫ଜଣ ଯୁବକଙ୍କୁ ଗିରଫ କରିଥିଲା ପୋଲିସ । ଗିରଫ ଅଭିଯୁକ୍ତମାନେ କେଶବ ପୃଷ୍ଟି, ଶିବୁ ନାୟକ, ରାକେଶ କୁମାର ରାଉତ, ରଞ୍ଜନ ଷଣ୍ଢ, ରବି ସୁବୁଦ୍ଧି । ପୋଲିସ ଏମାନଙ୍କ ଠାରୁ ଗୋଟିଏ ଖଣ୍ଡା, ଲୁହା ରଡ୍ ସହ ମଦ ବୋତଲ ଜବତ କରିଛି ।
ସେହିପରି ମାତାମଠ ନିକଟ କାଜୁ ଜଙ୍ଗଲରେ ଡକାୟତି ଯୋଜନା ପାଇଁ ଉଦ୍ୟମ ଚଳାଇଥିବା ବେଳେ ବାସେଳୀ ସାହି ଥାନା ପୋଲିସ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଅଭି ବେହେରା, ମନୋଜ ପଣ୍ଡା, ବଣ୍ଟିନା ବେହେରା, ରାଜେଶ କୁମାର ସାହୁ ଓ କେଶବ ପରିଡ଼ା । ପୋଲିସ ଏମାନଙ୍କଠାରୁ ଗୋଟିଏ ଅଫୁଟା ବୋମା, ୩ଟି ଖଣ୍ଡା, ୨ଟି ଲୁହା ରଡ୍, ୩ଟି ଲାଠି ସହ ଦୁଇଟି ଦୁଇଚକିଆ ଗାଡି ଜବତ କରିଛି ।
ସେପଟେ ଚକ୍ରତୀର୍ଥ ରୋଡ୍ ୟୁଥ୍ ହଷ୍ଟେଲ ନିକଟରେ ଦାଦାବଟି ଉଦ୍ୟମ କରୁଥିବା ବେଳେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ସାମୁଦ୍ରିକ ଥାନା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଉଛନ୍ତି କେ.ଶିବା, ରମେଶ ବେହେରା । ଅଭିଯୁକ୍ତଙ୍କଠାରୁ ପୋଲିସ ଗୋଟିଏ ଚାପଡ ଜବତ କରିଛି । ପୁରୀ ସିଟି ଡିଏସପି କେ.କେ ହରପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି । ବିଭିନ୍ନ ଥାନା ପକ୍ଷରୁ ଚଢ଼ାଉ କରାଯାଇ ଏପର୍ଯ୍ୟନ୍ତ ୧୨ଜଣ ଡକାୟତଙ୍କୁ ଗିରଫ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଟାଉନ, ସମୁଦ୍ର କୂଳ ଓ ବାସେଳୀ ସାହି ଥାନା ଅଧିକାରୀ ଉପସ୍ଥିତ ଥିଲେ । ଗିରଫ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ପୁରୀରେ ଅପରାଧରେ ରୋକ୍ ଲଗାଇବା ପାଇଁ ପୋଲିସ୍ କଠୋର ପଦକ୍ଷେପ ନେଉଥିବା ପୁରୀ ସିଟି ଡିଏସପି କହିଛନ୍ତି ।
ଇଟିଭି ଭାରତ, ପୁରୀ