ପୁରୀ:ଶେଷ ହୋଇଯିବ ବର୍ଷ ୨୦୨୨, ନୂଆ ଆଶା ଓ ଉଦ୍ଦିପନା ସହ ଆରମ୍ଭ ହେବ ବର୍ଷ ୨୦୨୩ । ଚଳିତ ବର୍ଷ ବିନା କଟକଣାରେ ପାଳନ ହେବାକୁ ଯାଉଛି ନୂଆବର୍ଷ । ଦୀର୍ଘ ଦୁଇ ବର୍ଷ କୋରୋନା କଟକଣା ଯୋଗୁଁ ଜିରୋ ନାଇଟ ସିଲିବ୍ରେସନ ଉପରେ ଲାଗିଥିଲା କଟକଣା । କିନ୍ତୁ ନୂଆ ବର୍ଷକୁ ସ୍ବାଗତ କରିବା ପାଇଁ ଏବେ ସମସ୍ତଙ୍କ ମନରେ ଉତ୍ସାହ । ପୁରୀରେ ଜିରୋ ନାଇଟ ସେଲିବ୍ରେସନ ଓ ନୂଆବର୍ଷରେ ପର୍ଯ୍ୟଟକ ମାନଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଟ୍ରାଫିକ ବ୍ୟବସ୍ଥା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୁରୀ ପୋଲିସ ଓ ହୋଟେଲିୟରଙ୍କ ମଧ୍ୟରେ ଗତକାଲି ବୈଠକ ହୋଇଥିଲା ।
ପୁରୀ ଟାଉନ ଥାନା ଠାରେ ଅତିରିକ୍ତ ଏସପି ମିହିର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିବା ବେଳେ ନୂଆବର୍ଷରେ ପର୍ଯ୍ୟଟକ ମାନେ ଯେଭଳି ଭଲ ଅନୁଭୂତି ନେଇ ଫେରିବେ ସେନେଇ ପୋଲିସ ପ୍ରଶାସନ ପକ୍ଷରୁ ହୋଟେଲିୟର ମାନଙ୍କ ସହ ଆଲୋଚନା ହୋଇଥିଲା । ନୂଆବର୍ଷ ପାଳନ କରିବା ପାଇଁ ପୁରୀ ଆସି ହୋଟେଲରେ ରହୁଥିବା ପର୍ଯ୍ୟଟକଙ୍କ ସମ୍ପୂର୍ଣ୍ଣ ତଥ୍ୟ, ସମସ୍ତ ସିସିଟିଭି କ୍ୟାମେରା କାର୍ଯ୍ୟକାରୀ କରିବା, ସରକାରଙ୍କ ନିୟମ ଅନୁଯାୟୀ ଜିରୋ ନାଇଟ୍ ସେଲିବ୍ରେସନ କରିବା ଉପରେ ଆଲୋଚନା ହୋଇଛି।
ପର୍ଯ୍ୟଟକ ଓ ହୋଟେଲିୟର ମାନଙ୍କ କୌଣସି ଅସୁବିଧା ହେଲେ ପୋଲିସର ସହାୟତା ନେବା ପାଇଁ ୧୧୨ ନମ୍ବର କୁ କିମ୍ବା ୬୩୭୦୯୬୭୧୦୦ ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ବରରେ ଫୋନ କରିପାରିବେ ବୋଲି ଅତିରିକ୍ତ ଏସପି କହିଛନ୍ତି। ଗତ ଦୁଇବର୍ଷ ଧରି କୋଭିଡ କଟକଣା ଯୋଗୁଁ ହୋଟେଲ ଗୁଡିକରେ ଜିରୋ ନାଇଟ୍ ସେଲିବ୍ରେସନ ବନ୍ଦ ରହିଥିଲା ।