ଓଡିଶା

odisha

ETV Bharat / state

ଭୂ-ସମ୍ପତି ସୁରକ୍ଷାର ଜରୁରୀ ବୈଠକ: ତୁରନ୍ତ ସମସ୍ୟା ବୁଝିବାକୁ ଦାବି - ବଂଶାନୁକ୍ରମିକ

ରାଜା ରାଜୁଡା ଅମଳରୁ ଖଜଣା ପଇଠ କରି ଜାଗା କିଣି ଘର କରିଥିଲେ ଲୋକେ । କିନ୍ତୁ ଲୋକଙ୍କର ସମସ୍ୟାକୁ ଅଣଦେଖା କରି ହଠାତ୍‌ ସମସ୍ତ ପଟ୍ଟାକୁ ରଦ୍ଦ କରି ସରକାର ଜମିଗୁଡିକୁ ଶ୍ରୀମନ୍ଦିର ପ୍ରଶାସନ ନାମରେ କରାଇ ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Sep 15, 2019, 1:52 AM IST

ପୁରୀ: ଭୂ-ସମ୍ପତି ସୁରକ୍ଷା ପରିଷଦର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୁରୀ ସାଂସଦ ପିନାକୀ ମିଶ୍ର ଯୋଗ ଦେଇ ଲୋକ ପରିଷଦର ସମସ୍ୟା ଶୁଣିଛନ୍ତି । ପୁରୀ ସର୍କିଟ ହାଉସଠାରେ ଅନୁଷ୍ଠିତ ଏହି ବୈଠକରେ ପରିଷଦର କର୍ମକର୍ତ୍ତାଙ୍କ ସମେତ ସହରର ବହୁ ବୁଦ୍ଧିଜୀବୀ ମଧ୍ୟ ଯୋଗ ଦେଇଥିଲେ ।

ମୁଖ୍ୟତଃ ଶ୍ରୀଜଗନ୍ନାଥଙ୍କ ଜମିରେ ବର୍ଷ ବର୍ଷ ଧରି ବଂଶାନୁକ୍ରମିକ ଭାବରେ ରହୁଥିବା ବ୍ୟକ୍ତିଙ୍କୁ ସ୍ଥାୟୀ ପଟ୍ଟା ରାଜ୍ୟ ସରକାର ଦେବାକୁ ଭୂ- ସମ୍ପତି ସୁରକ୍ଷା ପରିଷଦର କର୍ମକର୍ତ୍ତା ଦାବି କରିଛନ୍ତି । ଅନୁଷ୍ଠାନର ଅଭିଯୋଗ ଅନୁସାରେ ଶ୍ରୀଜଗନ୍ନାଥ ଜମି ମାଲିକାନାକୁ ନେଇ ରହିଥିବା ମାମଲାରେ ସୁପ୍ରିମକୋର୍ଟ ପୁରୀର ସମସ୍ତ ମଠ ଜମି ମାଲିକାନା ଶ୍ରୀଜଗନ୍ନାଥ ମନ୍ଦିର ନାମରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ମଠରୁ ଜମି କିଣି ବଂଶାନୁକ୍ରମିକ ଭାବରେ ରହି ଆସୁଛନ୍ତି ପୁରୀ ବାସିନ୍ଦା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

କିନ୍ତୁ ଏବେ ଜମି ଶ୍ରୀଜଗନ୍ନାଥ ମନ୍ଦିର ନାମରେ ହୋଇଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଜମି ଦଖଲକାରୀଙ୍କୁ ନୂଆ ଦର ଦେଇ ଜମି ଦଖଲ କରିବାକୁ ନୋଟିସ ଦେଇଛି । ଯେଉଁଥିରେ ପୁଣି ଦର ବହୁ ପରିମାଣର ରହିଛି । ଯାହାକି ଏବେ ସାଧାରଣ ଲୋକେ ଦେବାକୁ ଅସମର୍ଥ ।

ଅନ୍ୟପଟେ ରାଜା ରାଜୁଡା ଅମଳରୁ ଖଜଣା ପଇଠ କରି ଜାଗା କିଣି ଘର କରିଥିଲେ ଲୋକେ । କିନ୍ତୁ ଲୋକଙ୍କର ସମସ୍ୟାକୁ ଅଣଦେଖା କରି ହଠାତ୍‌ ସମସ୍ତ ପଟ୍ଟାକୁ ରଦ୍ଦ କରି ସରକାର ଜମିଗୁଡିକୁ ଶ୍ରୀମନ୍ଦିର ପ୍ରଶାସନ ନାମରେ କରାଇ ଦେଇଛନ୍ତି । ଯାହାକି ସମ୍ପୂର୍ଣ ବେଆଇନ ବୋଲି ଅନୁଷ୍ଠାନ କହିଛି । ଆଗାମୀ ଦିନରେ ଯଦି ରାଜ୍ୟ ସରକାର ଏହି ସମସ୍ୟା ବିଷୟରେ ପଦକ୍ଷେପ ନନିଅନ୍ତି ତେବେ ଆଗାମୀ ଦିନରେ ପୁରୀ ସହରବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details