ଓଡିଶା

odisha

ETV Bharat / state

ପୁରୀ ମେଡ଼ିକାଲରେ ବିପର୍ଯ୍ୟୟ ସ୍ବାସ୍ଥ୍ୟ ସେବା

ରୋଗୀଙ୍କ ପାଇଁ ଯମ ଦଣ୍ଡ ସାଜିଛି ପୁରୀ ସଦର ମେଡ଼ିକାଲ । ଅବ୍ୟବସ୍ଥା ମଧ୍ୟରେ ଚାଲିଛି ସ୍ବାସ୍ଥ୍ୟ ସେବା । ଗୋଟିଏ ଶୌଚାଳୟକୁ ବ୍ୟବହାର କରୁଛନ୍ତି ଉଭୟ ମହିଳା ଓ ପୁରୁଷ ରୋଗୀ । ଛଅ ମହଲା ବିଶିଷ୍ଟ କୋଠାର ଲିଫ୍ଟ ଅଚଳ ହୋଇପଡ଼ିଥିବା ବେଳେ ପ୍ରସୂତୀଙ୍କୁ ମିଳୁନି ବେଡ ।

By

Published : Jul 31, 2019, 11:59 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ସଦର ହସପିଟାଲରେ ସ୍ବାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ଥ ହୋଇପଡିଛି। ପ୍ରସୂତି ମହିଳା ଓ ଶିଶୁ ଯତ୍ନ ବିଭାଗରେ ଉଭୟ ଶିଶୁ ଓ ମାଆ ପ୍ରତି ଦେଖାଦେଇଛି ବିପଦ। ସ୍ବାସ୍ଥ୍ୟ ସେବା ସହିତ କିଛି ଟେକ୍ନିକାଲ ସମସ୍ୟା ଏବେ ରୋଗୀ ତଥା ରୋଗୀ ଅଭିଭାବକଙ୍କର ଚିନ୍ତା ବଢାଇ ଦେଇଛି। ଛଅ ମହଲା ବିଶିଷ୍ଟ ଏହି ବିଲଡିଂକୁ ଓହ୍ଲାଇବା ଓ ଚଢିବା ନେଇ ବହୁ ଅସୁବିଧା ସୃଷ୍ଟି ହେଉଛି। କେତେବେଳେ ଲିପ୍ଟ ଅଚଳ ହୋଇଯାଉଛି ତ ଆଉ କେତେବେଳେ ଅଧାବାଟରେ ଅଟକିଯାଉଛି। ସବୁଠୁ ଗୁରୁତ୍ବ ପୂର୍ଣ୍ଣ କଥା ହେଉଛି ଗୋଟିଏ ଟଏଲେଟ ବ୍ୟବହାର କରୁଛନ୍ତି ମହିଳା ଏବଂ ପୁରୁଷ ରୋଗୀ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ ସଦର ହସପିଟାଲର ଏମ୍.ସିଏଚ୍.ବିଲଡିଂ। ୨୦୧୫ ମସିହାରେ ଠିକ୍ ନବକଳେବର ପୂର୍ବରୁ ପ୍ରସୂତି ମହିଳା ଓ ଶିଶୁ ମାନଙ୍କ ଚିକିତ୍ସା ଲାଗି ଏହି ଛଅ ମହଲା ବିଶିଷ୍ଠ କୋଠାକୁ ଉଦ୍ଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଉ ପ୍ରାୟ ଶହେ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଶହେ ଶଯ୍ୟା ବିଶିଷ୍ଟ ୟୁନିଟର ବାସ୍ତବ ସ୍ଥିତି କିନ୍ତୁ ସମ୍ପୂର୍ଣ୍ଣ ଓଲଟା। ଉଦଘାଟନର ମାତ୍ର ଚାରିବର୍ଷ ମଧ୍ୟରେ ଏହି କୋଠାର ମାନ୍ୟୁଫାକ୍ଚରିଂ ଟ୍ରବୁଲ ଦେଖାଦେଇଛି। ଚାରିମହଲାରେ ଲେବର ରୁମ ଥିବା ବେଳେ ପାଞ୍ଚମହଲାରେ ରହିଛି ଶିଶୁ ଓ ମାଆ ମାନଙ୍କ ଲାଗି ସ୍ବତନ୍ତ୍ର ୱାର୍ଡ। ଏତେ ବଡ଼ କୋଠାରେ ଉପର ତଳ ଯିବା ପାଇଁ ମଧ୍ୟ ଲିଫ୍ଟ ବ୍ୟବସ୍ଥା ନାହିଁ। ଦୁଇଟି ଲିଫ୍ଟ ଥିଲେ ମଧ୍ୟ ସେଥିରୁ ଗୋଟିଏ ସମ୍ପୂର୍ଣ୍ଣ ଅଚଳ ହୋଇପଡିଥିବା ବେଳେ ଅନ୍ୟଟି ବିଭିନ୍ନ ସମୟରେ ତୃଟି ଦେଖାଦେଉଛି। ଅନ୍ୟପଟେ ବେଡର ଅଭାବ ଯୋଗୁଁ ୱାର୍ଡର ତଳେ ଚିକିତ୍ସିତ ହେଉଛନ୍ତି କୋମଳମତି ଶିଶୁ ଓ ମହିଳା।

ଗୋଟିଏ ଶୌଚାଳୟ ଥିବାବେଳେ ତାହାର କବାଟ ଭାଙ୍ଗି ଯାଇଛି । ଫଳରେ ଦୁର୍ଗନ୍ଧ ଚାରିଆଡେ ବ୍ୟାପୁଛି । ଏହା ଯୋଗୁଁ ପିଲାମାନଙ୍କର ଇନଫେକ୍ସନ ହେଇପାରେ ବୋଲି ଆତଙ୍କିତ ହୋଇପଡିଛନ୍ତି ପ୍ରସୂତୀ ମହିଳା। ଆଉ ସରକାରୀ ଡାକ୍ତର ମାନେ ବିଭିନ୍ନ ସମୟରେ ଭିନ୍ନଭିନ୍ନ ମେଡିସିନ ଲେଖୁଛନ୍ତି ଯାହା ବାହାରୁ କିଣିବାକୁ ପଡୁଥିବା ଅଭିଯୋଗ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details