ପୁରୀ: ଅପେକ୍ଷାର ଅନ୍ତ। ଆଜି ଠାରୁ ସର୍ବସାଧାରଣ ଦର୍ଶନ ଲାଗି ଖୋଲିଛି ଶ୍ରୀମନ୍ଦିର । କୋଭିଡ ଗାଇଡଲାଇନ ଅନୁଯାୟୀ ଆଜି ଠୁ ଶ୍ରୀମନ୍ଦିର ଭିତରେ ଶ୍ରୀଜିଉଙ୍କୁ ଦର୍ଶନ କରିବାର ସୁଯୋଗ ପାଇଛନ୍ତି ଭକ୍ତ । ପୂର୍ବରୁ ମନ୍ଦିର ସେବାୟତ ଓ ପୁରୀବାସୀ ଶ୍ରୀଜିଉଙ୍କୁ ଦର୍ଶନ କରିସାରିଥିବା ବେଳେ ଆଜି ରାଜ୍ୟ ଭିତର ଓ ବାହାରର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି ଜଗା ଦ୍ବାର । ରାଜ୍ୟ ଭିତର ତଥା ରାଜ୍ୟ ବାହାର ଶ୍ରଦ୍ଧାଳୁଙ୍କ ପାଇଁ ୯୬ ଘଣ୍ଟା ପୂର୍ବର RTPCR ନେଗେଟିଭ ରିପୋର୍ଟ କିମ୍ବା ଦୁଇ ପର୍ଯ୍ୟାୟ କୋଭିଡ ଟୀକାକରଣ ପ୍ରମାଣପତ୍ର ଦେଖାଇ ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି ଭକ୍ତ।
ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ, ୮ଟି କିଓସ୍କୋ ସ୍ଥାପନ କରାଯାଇଥିବା ବେଳେ ସୁରକ୍ଷା ପାଇଁ ୧୦ ପ୍ଲାଟୁନ୍ରୁ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଦର୍ଶନ ପାଇଁ ସିଂହଦ୍ୱାର ପଟେ ପ୍ରବେଶ ଓ ଉତ୍ତର ଦ୍ୱାର ପଟେ ପ୍ରସ୍ଥାନର ବ୍ୟବସ୍ଥା କରାଯାଇଛି । ବୃଦ୍ଧ ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନର ବ୍ୟବସ୍ଥା କରାଯାଇଛି । ସକାଳ ୭ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ ଦର୍ଶନ ବ୍ୟବସ୍ଥା । ପୂର୍ବରୁ ପୁରୀ ବାସିନ୍ଦାଙ୍କୁ ଦର୍ଶନ ସୁଯୋଗ ମିଳିଥିବା ବେଳେ ୫ଦିନ ଭିତରେ ପ୍ରାୟ ୫୧ ହଜାର ଭକ୍ତ ଦର୍ଶନ କରିଥିଲେ । ଆଜି ଠାରୁ ସର୍ବସାଧାରଣ ଦର୍ଶନ ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିଲା।