ପୁରୀ: ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର । ଆସନ୍ତା 21 ରୁ ବିନା କୋଭିଡ ନେଗେଟିଭ ସାର୍ଟିଫିକେଟରେ ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।
ସହଜ ହେଲା ଶ୍ରୀଜୀଉଙ୍କ ଦର୍ଶନ, ଆଉ ମାନିବାକୁ ପଡିବନି ଏହି ନିୟମ ଆସନ୍ତା 19 ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବାରୁ ଏନେଇ ଆଜି ଛତିଶା ନିଯୋଗ ବୈଠକ ବସିଥିଲା । ରାଷ୍ଟ୍ରପତିଙ୍କ ଗସ୍ତ ନେଇ ନୀତିନିର୍ଘଣ୍ଟ ଚୂଡାନ୍ତ ହୋଇଛି । ଏହାସହ ସାଧାରଣ ଭକ୍ତଙ୍କ ପାଇଁ ଥିବା କୋଭିଡ କଟକଣାକୁ କୋହଳ କରାଯାଇଛି । ଆସନ୍ତା 21 ତାରିଖରୁ ଭକ୍ତ ମାନେ ବିନା କୋଭିଡ ନେଗେଟିଭ ସାର୍ଟିଫିକେଟରେ ଶ୍ରୀମନ୍ଦିରରେ ପ୍ରବେଶ କରି ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ ।
ନୀତିନିର୍ଘଣ୍ଟ ଅନୁସାରେ ୧୯ ତାରିଖରେ ରାଷ୍ଟ୍ରପତି ଶ୍ରୀମନ୍ଦିର ଆସି ସଂଧ୍ୟା 5ଟା ରୁ 5:45 ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ଦର୍ଶନ କରିବେ। ରାଷ୍ଟ୍ରପତି ପରିବାର ସହ ଗର୍ଭଗୃହରେ କରିବେ ଦର୍ଶନ । ଏଥିପାଇଁ ଅପରାହ୍ନ ୪ ଟାରୁ ସର୍ବସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ।
ସେହିପରି ୨୧ ତାରିଖରୁ ଲାଗୁହେବ ନୂଆ ଏସଓପି । କୋଭିଡ କଟକଣା କୋହଳ କରାଯାଇଛି । ହଟିବ କିଓସ୍କ କାଉଣ୍ଟର। ଆଉ ଭକ୍ତଙ୍କୁ ଦେଖାଇବାକୁ ପଡିବ ନାହିଁ କୋଭିଡ ପ୍ରମାଣପତ୍ର। ପୂର୍ବପରି ରବିବାର ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ । ନୀତିକାନ୍ତିକୁ ନେଇ ୨୦ ରୁ ୨୫ ତାରିଖ ମଧ୍ୟରେ ବସିବ ନୀତି ସବକମିଟି ବୈଠକ। ମଙ୍ଗଳ ଆଳତୀ ନୀତି ସୃଙ୍ଖଳିତ କରିବା ପାଇଁ ବସିବ ନୀତି ସବକମିଟି ବୈଠକ। ଦ୍ବାର ଫିଟାରୁ ରାତ୍ର ପହୁଡ ନେଇ ସମସ୍ଥ ନୀତି କିଭଳି ଆହୁରି ଶୃଙ୍ଖଳିତ ହେବ ସେନେଇ ଆଲୋଚନା କରାଯିବ । ମାର୍ଚ୍ଚ ୧୦ ତାରିଖ ମଧ୍ୟରେ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରାଯାଇ ସ୍ଥିତି ଦେଖି ରବିବାର ବନ୍ଦ ରହିବ କି ନାହିଁ ନିଷ୍ପତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର କହିଛନ୍ତି । କୋଭିଡ ପାଇଁ ବର୍ତ୍ତମାନ ଶ୍ରଦ୍ଧାଳୁ ଡବଲ ଡୋଜ ସାର୍ଟିଫିକେଟ କିମ୍ବା କୋଭିଡ ନେଗେଟିଭ ସାର୍ଟିଫିକେଟ ଦେଖାଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ