ପୁରୀ:ସତ ହେବାକୁ ଯାଉଛି ଓଡିଶାବାସୀଙ୍କ ସ୍ବପ୍ନ । ପୁରୀରୁ ଦୌଡିବ ବନ୍ଦେ ଭାରତ ଏକ୍ସପ୍ରେସ । ଆସନ୍ତାକାଲି(ଗୁରୁବାର) ପୁରୀ ଷ୍ଟେସନରେ ବନ୍ଦେ ଭାରତ ଏକ୍ସପ୍ରେସ ଲୋକାର୍ପିତ ହେବ । ପ୍ରାଧାନମନ୍ତ୍ରୀ ନେରେନ୍ଦ୍ର ମୋଦି ଏହି ଅତ୍ୟାଧୁନିକ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସକୁ ଆଭାସିରେ ପତାକା ଦେଖାଇ ଶୁଭାରମ୍ଭ କରିବେ । ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ କରିବା ପାଇଁ ପୁରୀ ରେଲଓ୍ବେ ଷ୍ଟେସନରେ ବ୍ୟାପକ ବ୍ୟସ୍ଥା କରାଯାଇଛି । ଗୁରୁବାରଠାରୁ ପୁରୀରୁ ହାଓ୍ବଡାକୁ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ ।
ଲୋକାର୍ପଣ ଦେଖିବା ପାଇଁ ଷ୍ଟେସନ ବାହାରେ ଏଲଇଡି ସ୍କ୍ରିନ୍: ବନ୍ଦେ ଭାରତ ଏକ୍ସପ୍ରେସ୍ ଲୋକାର୍ପଣ ପାଇଁ ପୁରୀ ଷ୍ଟସନରେ ଚାଲିଛି ଜୋରଦାର ପ୍ରସ୍ତୁତି । ଷ୍ଟେସନ ବାହାରର ପ୍ରବେଶ ପଥରେ ଏକ ବଡ ଏଲଇଡି ସ୍କ୍ରିନ୍ ଲଗାଯାଇଛି । ଟ୍ରେନ ଲୋକାର୍ପଣ ଉତ୍ସବର ସିଧା ପ୍ରସାରଣ ଦେଖିପାରିବେ ଲୋକେ । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଗତକାଲି ଟ୍ରାଏଲ ରନ ସରିଥିବା ବେଳେ ଆସନ୍ତା କାଲି ଟ୍ରାକରେ ଦୌଡିବ ସେମି ହାଇସ୍ପିଡ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସ । ଏହି ଟ୍ରେନ ଯେଉଁ ଷ୍ଟେସନରେ ଅଟକିବ ସେଠାରେ ତାକୁ ଭବ୍ୟ ସ୍ବାଗତ କରାଯିବା ନେଇ ମଧ୍ୟ ସୂଚନା ରହିଛି ।
ଲୋକାର୍ପଣରେ ଯୋଗଦେବେ ଏହି ନେତା ମନ୍ତ୍ରୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂରେ ବନ୍ଦେ ଭାରତ ଟ୍ରେନର ଲୋକାର୍ପଣ କରିବେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ, ପୁରୀ ସାଂସଦ ପିନାକି ମିଶ୍ରଙ୍କ ସହ ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବା ନେଇ ସୂଚୀ ରହିଛି । ଗୁରୁବାର ୧୨ଟା ସମୟରେ ଏହି ଟ୍ରେନର ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି ।