ପୁରୀ: ଢେଙ୍କାନାଳରେ ମହାପ୍ରଭୁ ଜଗନ୍ନାଥଙ୍କ ବିଗ୍ରହ ନିର୍ମାଣ ଓ ନବକଳେବର ନେଇ ଘଟଣାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ପୁରୀ ଜିଲ୍ଲାପାଳ ଓ ଏସପିଙ୍କୁ ସେବାୟତଙ୍କ ଦାବିପତ୍ର ପ୍ରଦାନ । ଢେଙ୍କାନାଳ ଓଡାପଡାର ଶରଣ ଶ୍ରୀକ୍ଷେତ୍ରରେ ନୂଆ ଜଗନ୍ନାଥ ମନ୍ଦିର ନିର୍ମାଣ ହେଉଥିବା ବେଳେ ମହାପ୍ରଭୁଙ୍କ ବିଗ୍ରହ ମଧ୍ୟ ନିର୍ମାଣ ହେଉଛି । ତେବେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବକଳେବର ନୀତି ଭଳି ଦାରୁ ସଂଗ୍ରହ ନୀତିକୁ ନେଇ ବିବାଦ ବଢ଼ିବାରେ ଲାଗିଛି ।
ମହାପ୍ରଭୁ ଜଗନ୍ନାଥଙ୍କ ବିଗ୍ରହ ନିର୍ମାଣ ଓ ନବକଳେବର ପ୍ରସଙ୍ଗ: ଜିଲ୍ଲାପାଳ ଓ ଏସପିଙ୍କୁ ଦାବିପତ୍ର ପ୍ରଦାନ ଦଇତାପତି ନିଯୋଗ ଏହି ଘଟଣାରେ ଉପଯୁକ୍ତ ତଦନ୍ତ କରାଯାଇ ମହାପ୍ରଭୁଙ୍କ ନୀତିକାନ୍ତିକୁ ଉଲଙ୍ଘନ କରିଥିବା ଵ୍ୟକ୍ତି ବିଶେଷଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ପୁରୀ ଜିଲ୍ଲାପାଳ ଓ ଏସପିଙ୍କ ନିକଟରେ ଦାବିପତ୍ର ଦେଇଛି ଶ୍ରୀମନ୍ଦିର ଦଇତାପତି ନିଯୋଗ । ମହାପ୍ରଭୁଙ୍କ ନବକଳେବର ଯୋଡ଼ା ଆଷାଢ଼ରେ ପଡିଥାଏ । ଏଥିପାଇଁ ପ୍ରାୟ ୧୯ ବର୍ଷ ଲାଗି ଥାଏ ।
ହେଲେ ଏହି ନୀତି କେଵଳ ମହାପ୍ରଭୁଙ୍କ ମୂଳ ପୀଠ ଶ୍ରୀମନ୍ଦିରରେ ଶାସ୍ତ୍ରନୁମୋଦିତରେ ହୋଇଥାଏ । କିନ୍ତୁ ଏହାକୁ ଉଲଙ୍ଘନ କରି ଢେଙ୍କାନାଳର ଶରଣ ଶ୍ରୀକ୍ଷେତ୍ରର ଜଗନ୍ନାଥ ମନ୍ଦିର କମିଟି ମହାପ୍ରଭୁଙ୍କ ନବକଳେବର ନୀତି କରିଛି । ଯାହାକି ଶ୍ରୀଜଗନ୍ନାଥ ସଂସ୍କୃତିର ଅପମାନ ଓ ନୀତି ବିରୋଧୀ ।
ଏନେଇ ଦୃଷ୍ଟାନ୍ତ ମୁଳକ କାର୍ଯ୍ୟାନୁଷ୍ଠାନ ହେବା ଉଚିତ । ପୁରୀ ଜିଲ୍ଲାପାଳ ଓ ଏସପି କହିଛନ୍ତି ଏହି ଅଭିଯୋଗକୁ ଗୁରୁତ୍ୱ ସହକାରେ ପ୍ରଶାସନ ଗ୍ରହଣ କରିଛି । ଶ୍ରୀମନ୍ଦିର ପ୍ରଶାସନ ଠାରୁ ଏନେଇ ରିପୋର୍ଟ ମଗା ଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରିପୋର୍ଟ ଆସିବା ପରେ ତର୍ଜମା କରାଯାଇ ନିୟମ ଅନୁଯାୟୀ ଯାହା ବ୍ୟବସ୍ଥା ରହିଛି କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଅନ୍ୟପଟେଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କଲେ ଶଙ୍କରାଚାର୍ଯ୍ୟ । ଢେଙ୍କାନାଳରେ ଅଦିନିଆ ବନଯାଗ ଯାତ୍ରା ଆୟୋଜନ ନେଇ ପୁରୀ ଶଙ୍କରାଚାର୍ଯ୍ୟଙ୍କ ଘୋର ଉଦବେଗ । ମହାପ୍ରଭୁଙ୍କ ପରମ୍ପରାକୁ ଉଲଘଂନ ନେଇ ବିରୋଧ କରି ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲା ଦଇତାପତି ନିଯୋଗ । ତେବେ ଧର୍ମ ନାଁରେ ଏଭଳି କାର୍ଯ୍ୟ ଗ୍ରହଣ ଯୋଗ୍ୟ ନୁହେଁ କି ଶାସ୍ତ୍ର ସମତ ନୁହେଁ ।
ଶାସ୍ତ୍ରୀୟ ବିଧି ବିଧାନ ଅନୁଯାୟୀ ସମସ୍ତ କାର୍ଯ୍ୟ ହେବା ଆବଶ୍ୟକ। ଯେଉଁ ଅନୁଷ୍ଠାନ ଏଭଳି କାର୍ଯ୍ୟ କରୁଛନ୍ତି ସେମାନଙ୍କ ସହ ଆଲୋଚନା କରିବା ପାଇଁ ଦଇତାପତି ନିଯୋଗକୁ ଶଙ୍କରାଚାର୍ଯ୍ୟ ଦେଲେ ପରାମର୍ଶ । ଆଗକୁ ଏଭଳି କାର୍ଯ୍ୟ ଯେଭଳି ନହେବ ସେନେଇ ପ୍ରାନ୍ତୀୟ ସ୍ତରରେ ଏକ କମିଟି ଗଠନ କରାଯାଇ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ବଜାୟ ରହିପାରିବ ସେନେଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ