ପୁରୀ:କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଅନିଲ କୁମାର ସାମଲ ଜିଲ୍ଲାରେ କୋଭିଡ ପରିସ୍ଥିତିର ସମୀକ୍ଷା କରିଛନ୍ତି । ଜିଲ୍ଲା ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ପରିସରରେ ଆୟୋଜିତ ସମୀକ୍ଷା ବୈଠକରେ ଅନୀଲ ସାମଲ ଜିଲ୍ଲାରେ କୋରୋନା ମୁକାବିଲା ନିମନ୍ତେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଅବଗତ ହୋଇଥିଲେ । ଏହାସହ କୋରୋନା ଚିକିତ୍ସା କେନ୍ଦ୍ରରେ ଉପଲବ୍ଧ ସୁବିଧା ଓ ଡାକ୍ତରମାନେ ନିୟମିତ ଭାବେ ରୋଗୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା, ଅଧିକ ଆଣ୍ଟିଜେନ ନମୁନା ସଂଗ୍ରହ ଏବଂ ପ୍ଲାଜମା ଦାନ କରିବାକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ବାରୋପ କରିଥିଲେ ।
ଅନ୍ୟପକ୍ଷରେ ଜିଲ୍ଲାପାଳ ବଲଓ୍ବନ୍ତ ସିଂ ଜିଲ୍ଲାରେ କୋଭିଡ ସ୍ଥିତି, କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ର, କୋଭିଡ କେୟାର ସେଣ୍ଟରରେ ଉପଲବ୍ଧ ସୁବିଧା ସମ୍ପର୍କରେ ଜଣାଇଥିଲେ । ଜିଲ୍ଲାରେ ଏପର୍ଯ୍ୟନ୍ତ ୯୩ ହଜାର ୫୨୭ ଜଣଙ୍କ କୋରୋନା ପରୀକ୍ଷା କରାଯାଇଛି । ଜିଲ୍ଲାରେ ଏପର୍ଯ୍ୟନ୍ତ ୧୦୨୧୧ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେଥିମଧ୍ୟରୁ ୮୭୩୩ ଜଣ ଆରୋଗ୍ୟ ଲାଭ କରିଛନ୍ତି । ବର୍ତ୍ତମାନ ୧୪୨୨ ଜଣ ସଂକ୍ରମିତମାନଙ୍କ ମଧ୍ୟରୁ ୧୦୫୧ ଜଣ ଗୃହ ସଙ୍ଘରୋଧରେ ଅଛନ୍ତି । କୋରୋନା ଆରୋଗ୍ୟ ହାର ୮୬ ପ୍ରତିଶତ ରହିଛି ଓ ଆରୋଗ୍ୟ ହାର ଆହୁରି ବୃଦ୍ଧି ପାଇବ ବୋଲି ଜିଲ୍ଲାପାଳ ଆଶାବ୍ୟକ୍ତ କରିଛନ୍ତି ।
ବର୍ତ୍ତମାନ ୨୬ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନରେ ରଖାଯାଇଛି । ବର୍ତ୍ତମାନ ଜିଲ୍ଲାର ୧୦ଟି କୋଭିଡ କେୟାର କେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କୋରୋନା ରୋଗୀମାନଙ୍କ ପାଇଁ ୯୭୨ ଶଯ୍ୟା ବ୍ୟବସ୍ଥା ରହିଛି ଏବଂ ଏଥିରେ ୩୦୦ ରୋଗୀ ଚିକିତ୍ସିତ ହେଉଛନ୍ତି । ଏବେ ଜିଲ୍ଲାରେ ପ୍ରାୟ ୧୨୦୦ ନମୁନା ସଂଗ୍ରହ କରାଯାଉଥିବା ବେଳେ ସେଥିମଧ୍ୟରୁ ପ୍ରାୟ ଏକ ହଜାର ଆଣ୍ଟିଜେନ ଏବଂ ୨୦୦ ଆରଟିପିସିଆର ମାଧ୍ୟମରେ ନମୁନା ସଂଗ୍ରହ କରାଯାଉଛି ।