ପୁରୀ: ଜିଲ୍ଲାରେ କୋଭିଡ-୧୯ ପରିଚାଳନା ଏବଂ ମୁକାବିଲା ପ୍ରସ୍ତୁତି ସଂପର୍କରେ ଏକ ସମୀକ୍ଷା ବୈଠକ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା ଜିଲ୍ଲାରେ କୋଭିଡ ମହାମାରୀର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ସଂପର୍କରେ ଉପସ୍ଥାପନ କରିଥିଲେ ।
ଜିଲ୍ଲାରେ ବର୍ତ୍ତମାନ ୧.୭୬ ଲକ୍ଷ ଲୋକ ଟିକାକରଣରେ ସାମିଲ ହୋଇସାରିଛନ୍ତି । ଜିଲ୍ଲାରେ ୫ଟି ତଥା ପୁରୀରେ ୨ଟି, ନିମାପଡା, କୋଣାର୍କ, ବ୍ରହ୍ମଗିରିରେ ପ୍ରତ୍ୟେକ ଗୋଟିଏ କୋଭିଡ କେୟାର ସେଣ୍ଟରେ ପ୍ରାୟ ପାଞ୍ଚ ଶହ ଶଯ୍ୟା ପ୍ରସ୍ତୁତ ରହିଛି । ପ୍ରବାସୀ ଶ୍ରମିକ ଓ କୁମ୍ଭମେଳା ଫେରନ୍ତାଙ୍କ ପ୍ରତି ପ୍ରଶାସନ ନଜର ରଖିଛି । ପ୍ରତ୍ୟେକ ବ୍ଲକର PHC ଓ CHCରେ ୨ଟି ଲେଖାଏଁ ଆମ୍ବୁଲାନ୍ସ ପ୍ରସ୍ତୁତ ରହିଛି । ସଂକ୍ରମଣକୁ ଯଥାସମ୍ଭବ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ସଂପୂର୍ଣ୍ଣ ଭାବେ ସଜାଗ ଥିବା ଜିଲ୍ଲାପାଳ କହିଛନ୍ତି । ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାସବର୍ମା କୋଭିଡ ପରିଚାଳନା ସହ ସଂପୃକ୍ତ ଥିବା ଜିଲ୍ଲାର ସ୍ବାସ୍ଥ୍ୟ, ପଞ୍ଚାୟତରାଜ, ଶ୍ରମ, ପରିବହନ ବିଭାଗ ଓ ପୋଲିସ ପ୍ରଶାସନ ସହ ସମନ୍ବୟ ରଖିବା ପାଇଁ ଏକ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରିବା ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି । କୋଭିଡ ପରୀକ୍ଷା ଓ ଚିହ୍ନଟ ପ୍ରକ୍ରିୟା ତ୍ବରାନ୍ବିତ କରିବା, ସଙ୍ଗରୋଧ ବ୍ୟବସ୍ଥା ଏବଂ ଆବଶ୍ୟକୀୟ ଚିକିତ୍ସା ପାଇଁ ଜିଲ୍ଲାରେ ଥିବା କୋଭିଡ କେୟାର ସେଣ୍ଟର କିମ୍ବା ଭୁବନେଶ୍ବରସ୍ଥିତ କୋଭିଡ ରେଫରାଲ ହସପିଟାଲ ସହ ସମନ୍ବୟ ରକ୍ଷା କରିବା ଉପରେ ଦାସବର୍ମା ଗୁରୁତ୍ବ ଦେଇଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପାଖେଇ ଆସୁଥିବାରୁ ଏବଂ ପୁରୀ ଏକ ଧାର୍ମିକ ଓ ଐତିହ୍ୟ ସଂପନ୍ନ ଆନ୍ତର୍ଜାତିକ ସହର ହୋଇଥିବାରୁ ଜିଲ୍ଲାର ପ୍ରବେଶ ପଥ ପିପିଲି, ଚାରିଛକ, ଅସ୍ତରଙ୍ଗ, ପ୍ରୟାଗି, ପୁରୀ ରେଳ ଷ୍ଟେସନ ଓ ବସଷ୍ଟାଣ୍ତ ଉପରେ ସତର୍କ ନଜର ସହ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରିବା ଉପରେ ଦାସବର୍ମା ଗୁରୁତ୍ବ ଦେଇଛନ୍ତି ।