ପୁରୀ : ପାଖେଇ ଆସୁଛି ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଲୋକାର୍ପଣ ଉତ୍ସବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ଜାନୁୟାରୀ ୧୭ ତାରିଖରେ ଏକ ବିରାଟ ଭବ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଏହାକୁ ଉଦଘାଟନ କରିବେ । ତେବେ ଏହି ଐତିହାସିକ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଜୋରସୋରରେ ଲାଗି ପଡିଛି । ଶ୍ରୀମନ୍ଦିର ଚତୁପାର୍ଶ୍ବରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଏବେ ଏକରକମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସୁନ୍ଦର ସୁନ୍ଦର ବିଭିନ୍ନ ଗଛରେ ଝଲସୁଛି ଶ୍ରୀମନ୍ଦିର ଚତୁପାର୍ଶ୍ବ । ସେହିପରି ଶ୍ରୀମନ୍ଦିର ଚାରିପାଖରେ ଥିବା ବିଭିନ୍ନ ମଠ ଓ ମନ୍ଦିରର ମଧ୍ୟ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ବଡ଼ଦାଣ୍ଡରରେ ଭକ୍ତଙ୍କ ପାଇଁ ନିର୍ମାଣ ହେଉଥିବା ଏସି ସେଡ୍ ପାଥ୍ ୱେ ଏବଂ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଭକ୍ତଙ୍କ ପାଇଁ ହେଉଥିବା ଅଭ୍ୟର୍ଥନା କେନ୍ଦ୍ର କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଏହି ସବୁ ନିର୍ମାଣ କାର୍ଯ୍ୟ ଆସନ୍ତା ଜାନୁୟାରୀ ୫ ତାରିଖ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି ।
ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ କାର୍ଯ୍ୟକ୍ରମକୁ ସାରା ଭାରତରୁ ପ୍ରସିଦ୍ଧ ମନ୍ଦିରର ପ୍ରତିନିଧି ମଣ୍ଡଳୀ ଆସିବାକୁ ନିମନ୍ତ୍ରଣ କରାଯାଇଛି । ଶ୍ରୀମନ୍ଦିର ସେବାୟତଙ୍କ ଏକ ସ୍ବତନ୍ତ୍ର ପ୍ରତିନିଧି ଦଳ ଓଡ଼ିଶା ଏବଂ ଓଡ଼ିଶା ବାହାରେ ମୋଟ ୩୦ ଟି ଟିମ୍ ରେ ବିଭକ୍ତ ହୋଇ ପ୍ରସିଦ୍ଧ ମନ୍ଦିର ଏବଂ ଦେବ ସ୍ଥଳୀକୁ ଯାଇଛନ୍ତି । ତେବେ ଏହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର କାର୍ଯ୍ୟ ହୋଇଥିବାରୁ ସାରା ବିଶ୍ବବାସୀଙ୍କ ନଜର ରହିଛି । ଏହି ପରିକ୍ରମା ପ୍ରକଳ୍ପ ମାର୍ଗ ଲୋକାର୍ପଣ ଉତ୍ସବର ଐତିହାସିକ କ୍ଷଣକୁ ସ୍ମୃତିରେ ସବୁଦିନ ଉଜ୍ଜୀବିତ ରଖିବା ପାଇଁ ବ୍ୟାପକ ଭାବେ ଭବ୍ୟ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି ।