ପୁରୀ:ରାତି ପାହିଲେ କୋଟି ଓଡିଆଙ୍କ ମଉଡ ମଣି କାଳିଆ ସାଆନ୍ତେଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ପର୍ଯ୍ୟଟକଙ୍କ ଭିଡ ଲାଗିଥାଏ । ଶ୍ରୀକ୍ଷେତ୍ରରେ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଚକ୍ରତୀର୍ଥ ବେଳାଭୂମିର ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣ କାର୍ଯ୍ୟ ଜୋରସୋରରେ ଆରମ୍ଭ ହୋଇଛି । ମାସଟିଏ ମଧ୍ୟରେ ଝଲସିବ ଚକ୍ରତୀର୍ଥ ବେଳାଭୂମି ।
ଆଉ ଏକମାସ ପରେ ନୂଆ ରୂପରେ ଝଲସିବ ପୁରୀର ଚକ୍ରତୀର୍ଥ ବେଳାଭୂମି । ପୁରୀ ଆସୁଥିବା ପର୍ଯ୍ୟଟକଙ୍କ ସୁବିଧା ପାଇଁ ଚକ୍ରତୀର୍ଥ ବେଳାଭୂମିରେ ପାଦ ଚଲା ରାସ୍ତା, ଶୌଚାଳୟ, ପୋଷାକ ପରିବର୍ତ୍ତନ ଗୃହ, ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ଉଜ୍ଜ୍ୱଳ ଆଲୋକ ସହ ଚିଲ୍ଡ୍ରେନ୍ ପାର୍କ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ଜିଲ୍ଲା ପ୍ରଶାସନର ଏଭଳି ବିକାଶମୂଳକ କାର୍ଯ୍ୟକୁ ସବୁ ମହଲରେ ସ୍ବାଗତ କରାଯାଇଛି ।
ତେବେ କେବଳ ଚକ୍ରତୀର୍ଥ ବେଳାଭୂମି ନୁହେଁ ପୁରୀର ପ୍ରମୁଖ ବେଳାଭୂମି କୁହାଯାଉଥିବା ଦିଗବାରେଣି ଖୁଣ୍ଟି ଠାରୁ ଲାଇଟ୍ ହାଉସ ବେଳାଭୂମି ଓ ପେଣ୍ଠକଟା ବେଳାଭୂମିର ମଧ୍ୟ ଉନ୍ନତିକରଣ କରିବା ଆବଶ୍ୟକ ବୋଲି ମତ ରଖିଛନ୍ତି ହୋଟେଲ ମାଲିକ । ଦିଗବାରେଣି ଛକ ଠାରୁ ଲାଇଟ୍ ହାଉସ ଓ ପେଣ୍ଠକଟା ବେଳାଭୂମି ପର୍ଯ୍ୟନ୍ତ କିଛି କିଛି ସ୍ଥାନରେ ପାଦ ଚଲା ରାସ୍ତା, ଶୌଚାଳୟ, ପୋଷାକ ପରିବର୍ତ୍ତନ ଗୃହ, ବିଶୁଦ୍ଧ ପାନୀୟ ଜଳ ଓ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା କରିବା ପାଇଁ ଦାବି ହୋଇଛି । ଏହାଦ୍ବାରା ପୁରୀ ବେଳାଭୂମି ସାରା ବିଶ୍ୱରେ ଆହୁରି ସୁନାମ ଆଣିବ ବୋଲି ମତ ପ୍ରକାଶ ପାଇଛି । 6 କୋଟି ଟଙ୍କା ବ୍ୟୟରେ ଏହି ବେଳାଭୂମିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି ।