ପୁରୀ:ମହାପ୍ରଭୁଙ୍କ ରଥ ନିର୍ମାଣ ଶୈଳୀ ଯେତିକି ନିଆରା ସେତିକି ରହସ୍ୟମୟ । ୨୦ ଇଞ୍ଚର ହାତକାଠି ମାପରେ ତିଆରି ହୁଏ ମହାପ୍ରଭୁଙ୍କ ବିଶାଳ ରଥ । ଆଉ ରଥ ନିର୍ମାଣ ବେଳେ ଚଳଚଞ୍ଚଳ ହୋଇଉଠେ ରଥଖଳା । ମହାପ୍ରଭୁଙ୍କ ତିନି ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡିନ୍ତି ବିଶ୍ଵକର୍ମା ମହାରଣା । ପାରମ୍ପରିକ ନିର୍ମାଣକାରୀ ସାମଗ୍ରୀ, ନିହାଣ, ମୁଗୁର, ବାରିସୀରେ ଚାଲେ ରଥ ନିର୍ମାଣ କାର୍ଯ୍ୟ । ତେବେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ମହାପ୍ରଭୁଙ୍କ ବିଶାଳ ରଥ ଏକ ୨୦ ଇଞ୍ଚର ହାତକାଠିର ମାପ ନିଆଯାଇ ତିଆରି କରାଯାଏ । ବିନା କୌଣସି ଆଧୁନିକ ଯନ୍ତ୍ରପାତିରେ ମାପଚୁପ କରାନଯାଇ କେଉଁ ଆବାହମାନ କାଳରୁ ଏହି ୨୦ ଇଞ୍ଚ ହାତକାଠି ସାହାଯ୍ୟରେ ତିଆରି ହୋଇଆସୁଛି ମହାପ୍ରଭୁଙ୍କ ରଥ ।
ତେବେ ଏହି ହାତକାଠିରେ ରଥ ନିର୍ମାଣ କରାଯାଉଥିଲେ ହଁ ଆଜି ପର୍ଯ୍ୟନ୍ତ କୌଣସି ତ୍ରୁଟି ହୋଇନାହିଁ । ବିଶ୍ଵକର୍ମା ମହାରଣାଙ୍କ କହିବାକଥା ରଥ ନିର୍ମାଣ କାର୍ଯ୍ୟ ନିଜେ ସ୍ବୟଂ ମହାପ୍ରଭୁ ହିଁ କରିଥାନ୍ତି । ଆମେ ନିମିତ ମାତ୍ର । ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ତିନି ରଥ ପାଇଁ ବିଶ୍ବକର୍ମା ମହାରଣାଙ୍କ ପାଖରେ ରହିଛି ତିନୋଟି ହାତକାଠି । ଏହି କୁହୁକ ବାଡ଼ିର ନିର୍ଦ୍ଦେଶର ତିନୋଟି ବିଶାଳକାୟ ରଥ ନିର୍ମାଣ ହେଉଛି । ହାତକାଠିରେ ରହିଛି ଆଙ୍ଗୁଳି ସହ ଟିପ ଚିହ୍ନ। ଏଥିରେ ଲୁଚିଛି ରଥ ନିର୍ମାଣର ପୁରା କୌଶଳ । ଚକର ତୁମ୍ବ ଅନୁକୂଳ ଠାରୁ ଆରମ୍ଭ କରି ଅଖ, ଦଣ୍ଡା, ନିରାଡି, ପାର୍ଶ୍ବ ମୁଂହାଟ, ଚକ, ଅଖ ପର୍ଯ୍ୟନ୍ତ ଏହି ହାତକାଠି ମାପରେ ନିର୍ମାଣ ହୋଇଥାଏ ।
ଏହା ବି ପଢନ୍ତୁ- Rathakhala Halchal: ଚାଲିଛି ପନ୍ଦାରି ବଳା ନିର୍ମାଣ, ଶେଷ ପର୍ଯ୍ୟାୟରେ ତୁମ୍ବ ବିନ୍ଧ କାର୍ଯ୍ୟ