ପୁରୀ: ରାତି ପାହିଲେ ଘୋଷଯାତ୍ରା । ବଡ ଦାଣ୍ଡକୁ ଆସିବେ ମହାପ୍ରଭୁ ଜଗନ୍ନାଥ । ବୁଧବାର ସିଂହଦ୍ୱାର ରଥ ଚକଡାକୁ ବିଜେ କରିବେ ତିନି ରଥ । ପରମ୍ପରା ମୁତାବକ ରଥଖଳାରେ ପ୍ରସ୍ତୁତ ହୋଇ ରହିଥିବା ତିନି ରଥକୁ ଆଜି ରଥଖଳାରୁ ସିଂହଦ୍ୱାର ସମ୍ମୁଖ ରଥ ଚକଡାକୁ ନିଆଯିବ । ଏପଟେ ଆଜି ରଥଖଳାରେ ତିନି ରଥରେ ଆଜ୍ଞାମାଳ ବିଜେ ପରେ ରଥକୁ ସିଂହଦ୍ୱାର ଚକଡାକୁ ଟାଣିକି ନିଆଯିବ । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ନୀତି ଚୂଡାନ୍ତ ହୋଇଛି ।
ନୀତି ନିର୍ଘଣ୍ଟ ମୁତାବକ, ଆଜି ସାଢ଼େ ସାତଟାରେ ମଙ୍ଗଳ ଆଳତି, ୮ଟାରେ ମଇଲମ, ତଡପଲାଗି, ସାଢ଼େ ୮ଟାରେ ଅବକାଶ, ୯ଟା ୧୫ରେ ସୂର୍ଯ୍ୟପୂଜା, ସାଢ଼େ ୯ଟାରେ ଦ୍ୱାରପାଳ ପୂଜା ଓ ବେଶ ଶେଷ, ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଗୋପାଳବଲ୍ଲଭ ଓ ସକାଳ ଧୂପ ନୀତି ଅନୁଷ୍ଠିତ ହେବ । ପୂବାହ୍ନ ସାଢ଼େ ୧୧ଟାରେ ରଥଖଳାକୁ ତିନିବାଡଙ୍କ ଆଜ୍ଞାମାଳ ବିଜେ କରିବ। ରାତି ୯ଟାରେ ବଡସିଂହାର ଭୋଗ ଓ ରାତି ସାଢ଼େ ୯ଟାରେ ପହୁଡ ଆଳତି ହେବ ।