ପୁରୀ: ପିପିଲି ବିଧାନସଭା ଉପନିର୍ବାଚନ ନେଇ ଶେଷ ହୋଇଛି ପ୍ରଶାସନର ପ୍ରସ୍ତୁତି । ପିପିଲି ବିଧାନସଭା ଉପ-ନିର୍ବାଚନର ମତଦାନ ପାଇଁ ପୋଲିଂ ପାର୍ଟି ଆସନ୍ତାକାଲି (ମଙ୍ଗଳବାର)ବୁଥ୍କୁ ଯିବେ । ମୋଟ 3ଟି ପର୍ଯ୍ୟାୟରେ ସକାଳ ୬ଟାରୁ ୧୦ଟା, ଅପରାହ୍ଣ ୧ଟା ଓ ଅପରାହ୍ଣ ୧ଟା ରୁ ୪ଟା ମଧ୍ୟରେ ପୋଲିଂ ପାର୍ଟି ବୁଥ୍କୁ ପଠାଯିବ । ବୁଥ୍ରେ ୧୦ଟି କାଉଣ୍ଟର ବ୍ୟବସ୍ଥା କରାଯିବା ସହ ଇଭିଏମ୍ ଓ ଅନ୍ୟାନ୍ୟ ସାମଗ୍ରୀ ପାଇଁ ସିଙ୍ଗଲ ୱିଣ୍ତୋ ବ୍ୟବସ୍ଥା କରାଯାଇଛି ।
କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । ପିପିଲି ଉପ ନିର୍ବାଚନ ପାଇଁ ମୋଟ ୩୪୮ଟି ବୁଥ୍ ମଧ୍ୟରୁ ୧୦୨ଟି ଅତି ସମ୍ବେଦନଶୀଳ ଓ ୭୩ଟି ସମ୍ବେଦନଶୀଳ ଶ୍ରେଣୀରେ ରହିଛନ୍ତି । ସେଥିମଧ୍ୟରେ ୧୭୫ଟି ବୁଥରେ ୱେବକାଷ୍ଟିଂ, ୨୩ଟିରେ ମାଇକ୍ରୋ ପର୍ଯ୍ୟବେକ୍ଷକ ଅବସ୍ଥାପିତ କରାଯିବା ଓ ୧୨ଟି ବୁଥ୍ରେ ଭିଡିଓ ଉତ୍ତୋଳନ କରାଯିବ । ଏତଦ୍ ବ୍ୟତୀତ ୨୦ଟି ଆଦର୍ଶ ମତଦାନ କେନ୍ଦ୍ର ମଧ୍ୟ ରହିଛି । ମତଦାନ ପୂର୍ବରୁ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏହି ସମସ୍ତ ବ୍ୟବସ୍ଥାର ଶେଷ ପର୍ଯ୍ୟାୟ ଯାଞ୍ଚ କରିଛନ୍ତି ।
ପିପିଲି ଉପନିର୍ବାଚନ ପାଇଁ ପ୍ରାୟ ୨ ହଜାର ପୋଲିଂ ଅଧିକାରୀ ଓ କର୍ମଚାରୀ ନିୟୋଜିତ ଥିବା ବେଳେ ୫୦୦ଟି ଗାଡ଼ି ବ୍ୟବସ୍ଥା କରାଯାଇଛି । ପ୍ରତି ପୋଲିଂପାର୍ଟିରେ ସୁରକ୍ଷାକର୍ମୀଙ୍କୁ ମିଶାଇ ୫ ଜଣ ରହିଛନ୍ତି । ପିପିଲି ପାଇଁ ପ୍ରାୟ ୭୦ଟି ରିଜର୍ଭ ପୋଲିଂ ପାର୍ଟି ରଖାଯାଇଛି । ସେହିଭଳି ମତଦାନକୁ ଦୃଷ୍ଟିରେ ରଖି ୧୯୮୩ ସୁରକ୍ଷାକର୍ମୀ ମୁତୟନ ରହିବେ । ଏହାସହ ୩୨ଟି ମୋବାଇଲ ଟିମ୍ ନିୟୋଜିତ ହେବେ । ପିପିଲି ଓ ଡେଲାଙ୍ଗ ଅଞ୍ଚଳରେ ପାରାମିଲିଟାରୀ ଫୋର୍ସ ଓ ପୋଲିସ ପକ୍ଷରୁ ନିୟମିତ ଫ୍ଲାଗ ମାର୍ଚ୍ଚ କରାଯାଉଛି । ଏହାକୁ ନେଇ ଆରକ୍ଷୀ ଅଧିକ୍ଷକ ଡକ୍ଟର କନୱାର ବିଶାଲ ସିଂ ସୂଚନା ଦେଇଛନ୍ତି ।