ପୁରୀ : ବିଭାଗୀୟ ଅଧିକାରୀଙ୍କ ମାନମାନି ବିରୋଧରେ ଆନ୍ଦୋଳନ ଚେତାବନୀ । ପୁରୀ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀଙ୍କ ମନମାନି ଯୋଗୁଁ ହିନସ୍ତା ଭୋଗୁଛନ୍ତି ଜନସାଧାରଣ । ରାସ୍ତା ଘାଟ ନିର୍ମାଣ ଓ ମରାମତି ପାଇଁ କୋଟିକୋଟି ଟଙ୍କା ଅନୁଦାନ ଆସୁଥିବା ବେଳେ କିଛି ଅପାରଗ ଅଧିକାରୀଙ୍କ ଯୋଗୁଁ ଏହି ଟଙ୍କାକୁ ସଠିକ୍ ଭାବେ ବିନିଯୋଗ ହୋଇପାରୁନାହିଁ । ଖୋଦ୍ ପୁରୀ ଜିଲ୍ଲା ୨୬ ନଂ ଜୋନ୍ର ଜିଲ୍ଲା ପରିଷଦ ସଦସ୍ୟ ମାମିନା ଦାସ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ।
ଐତିହ୍ୟ ସମ୍ପନ୍ନ ଅଠରନଳା ତଥା ପୁରୀ ସହରର ଅତି ନିକଟରେ ଥିବା ଗୋପିନାଥପୁର ଓ କାଶୀହରିପୁର ପଞ୍ଚାୟତର ନୀଳଚକ୍ର ନଗର, ମୁକୁନ୍ଦ ମିଶ୍ର ନଗର ଓ ଜେନା ସାହି ଅଞ୍ଚଳରେ ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ସେହିପରି ମୁକୁନ୍ଦ ମିଶ୍ର ନଗର ମାର୍ବଲ ଫ୍ୟାକ୍ଟ୍ରି ନିକଟରେ ମଧ୍ୟ ରାସ୍ତାଟିଏ ମଧ୍ୟ ହୋଇନାହିଁ । ରାସ୍ତା ନଥିବାରୁ ବର୍ଷା ଦିନେ ଯାତାୟତ ଏକପ୍ରକାର ଅସମ୍ଭବ ହୋଇପଡିଛି । ସେହିପରି ନୀଳଚକ୍ର ନଗର ରାସ୍ତାର ଅଧିକାଂଶ ଜାଗାରୁ ପିଚୁ ଉଠିଯାଇ ଖାଲଖମା ସୃଷ୍ଟି ହେବା ଯୋଗୁଁ ପ୍ରତିଦିନ ଦୁର୍ଘଟଣା ଘଟୁଛି ।
ଜିଲ୍ଲା ପରିଷଦ ସଭ୍ୟା ମାମିନା ଦାସ ରାସ୍ତା ନିର୍ମାଣ ଓ ଏହାର ମରାମତି ପାଇଁ ବାରମ୍ବାର ଗ୍ରାମ୍ୟ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ ତାଙ୍କ କଥା କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି । ଜଣେ ଜନପ୍ରତିନିଧିର ଅଭିଯୋଗକୁ ଯଦି ଗ୍ରାମ୍ୟ ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀ ଗୁରୁତ୍ବ ଦେଉନାହାଁନ୍ତି ତେବେ କାହିଁକି ଏହି ବରିଷ୍ଠ ଅଧିକାରୀମାନେ ବିଭାଗରେ ଅଛନ୍ତି ସେନେଇ ଜିଲ୍ଲା ପରିଷଦ ସଭ୍ୟା ପ୍ରଶ୍ନ କରିଛନ୍ତି ।