ପୁରୀ:ପୁରୀ ସିଦ୍ଧମହାବୀର ରେଲୱେ ଓଭର ବ୍ରିଜ ନିର୍ମାଣକୁ ଜମି ବିବାଦ ଘଟଣା । ଉପଯୁକ୍ତ କ୍ଷତିପୂରଣ ଦାବି ନେଇ ଧାରଣା ଦେଲେ ବିସ୍ଥାପିତ । ପୁରୀର ବହୁ ପ୍ରତିକ୍ଷୀତ ସିଦ୍ଧମହାବୀର ରେଳ ଓଭରବ୍ରିଜ ନିର୍ମାଣ ନେଇ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଏବେବି ବିବାଦ ଲାଗି ରହିଛି । ଅନେକ ଗୁଡ଼ିଏ ଜମିର ମାଲିକାନା ଶ୍ରୀମନ୍ଦିର ପ୍ରଶାସନର ରହିଥିବାରୁ ସେଠାରେ ବସବାସ କରୁଥିବା ଅଧିବାସୀ ମାନେ ଉପଯୁକ୍ତ କ୍ଷତିପୂରଣ ପାଇଁ ଦାବି କରିବା ସହ ରାଜ୍ୟ ସରକାର ଏ ଦିଗରେ ବିହିତ ପଦକ୍ଷେପ ନିଅନ୍ତୁ ବୋଲି ଜମି ସମସ୍ୟା ସମାଧାନ ମଞ୍ଚ ପକ୍ଷରୁ କୁହାଯାଇଛି ।
ସୂଚନା ଅନୁଯାୟୀ, ମାଟିଆପଡ଼ା ଓ ମାଟିତୋଟା ମୌଜାର ଶତାଧିକ କ୍ଷତିଗ୍ରସ୍ତ ପ୍ରଜା ଏକ ବିଶାଳ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି । ମୁଖ୍ୟମନ୍ତ୍ରୀ,ମୁଖ୍ୟ ଶାସନ ସଚିବ,ରାଜସ୍ବ ମନ୍ତ୍ରୀ ଓ ଶ୍ରୀମନ୍ଦିର ପ୍ରଶାସନ ଉଦ୍ଦେଶ୍ୟର ସ୍ମାରକପତ୍ର ଦିଆଯାଇଛି । ମଠ ମନ୍ଦିର ଜମିରେ ପ୍ରଜା ସତ୍ତ୍ବ ଅଧିକାର ବଳରେ ସ୍ଥାନୀୟ ରୟତ ଭାବେ ବସବାସ କରୁଥିବା ଲୋକଙ୍କୁ ତୁରନ୍ତ ସ୍ଥାୟୀ ଜମି ପଟ୍ଟା ଦିଆଯିବା ସହ ମାଟିଆପଡା ମୌଜାରେ ପ୍ରଜାଙ୍କ ନାମରେ ସରକାର ପାଉତି ନେଉଥିବା ବେଳେ ଉକ୍ତ ଜମି ଶ୍ରୀମନ୍ଦିର ନାମରେ କିପରି ହେବ ଓ ମନ୍ଦିର ଜମିର କ୍ଷତିପୂରଣ ରାଶି ପାଇବେ ସେ ନେଇ ତୁରନ୍ତ ଫଇସଲା କରାଯାଉ ବୋଲି ସେମାନେ ଦାବି କରିଛନ୍ତି ।