ପୁରୀ: ପୁରୀ-କୋଣାର୍କ ରାସ୍ତାର ସିଦ୍ଧମହାବୀର ଲେବଲ କ୍ରସିଂ ଉପରେ ରେଳ ଓଭର ବ୍ରିଜ୍ ନିର୍ମାଣ ପାଇଁ ଦୀର୍ଘ ଦିନର ଦାବି ଏବେ ପୂରଣ ହେବାକୁ ଯାଉଛି । କୋଣାର୍କ, କାକଟପୁର, ଗୋପ, ନିମାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ସଂଯୋଗ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ରେଳ ଓଭର ବ୍ରିଜ୍ ହୋଇନଥିବାରୁ ଦିନକୁ ଘଣ୍ଟା ଘଣ୍ଟା ଟ୍ରାଫିକ ଜାମ୍ ହୋଇଥାଏ । ଫଳରେ ଅଞ୍ଚଳବାସୀଙ୍କ ସହ ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ ଓ ଆମ୍ୱୁଲାନ୍ସ ଦୀର୍ଘ ସମୟ ଧରି ଫସି ରହେ । ତେବେ ଓଭରବ୍ରିଜ ନିର୍ମାଣ ନେଇ ବିସ୍ଥାପିତ ହେଉଥିବା ସ୍ଥାନୀୟ ବାସିନ୍ଦାଙ୍କ ସହ ଜିଲ୍ଲା ପ୍ରଶାସନ ଆଲୋଚନା କରିଛି । ଏହାକୁ ସ୍ଥାନୀୟ ବାସିନ୍ଦା ସ୍ୱାଗତ କରିଥିବାବେଳେ ଏନେଇ ୪ଟି ଦାବି ମଧ୍ୟ ରଖିଛନ୍ତି ।
ସିଦ୍ଧ ମହାବୀର ପଟେ ରେଲୱେ ଓଭରବ୍ରିଜ କରାନଯାଇ ସରକାରୀ ଜାଗା ଥିବା ହୁଳୁହୁଳିଆ ଅଥବା ସର୍ବୋଦୟ ନଗର ପଟେ ରେଲୱେ ଓଭର ବ୍ରିଜ ନିର୍ମାଣ ହେଉ । ଫଳରେ ଅଗାମୀ ଦିନରେ କୌଣସି ଟ୍ରାଫିକ ସମସ୍ୟା ରହିବନି । ସେହିପରି ଓଭରବ୍ରିଜ ପାଇଁ ଅଧିଗ୍ରହଣ ହେବାକୁ ଥିବା ଅନେକ ଜମି ମହାପ୍ରଭୁଙ୍କ ନାମରେ ଥିବାବେଳେ ଏଠାରେ ଶତାଧିକ ବର୍ଷ ଧରି ବସବାସ କରୁଥିବା ଲୋକଙ୍କୁ ତୁରନ୍ତ ଜମି ଅଧିକାର ରେକର୍ଡ଼ ପ୍ରଦାନ କରାଯିବା ସହ ଜମି ଅଧିଗ୍ରହଣ ବେଳେ ଉଚିତ୍ କ୍ଷତିପୂରଣ ପାଇଁ ପ୍ରତିଶୃତି ଦିଆଯାଉ। ଯେଉଁମାନେ ଘରବାଡ଼ି ଜମିର ଆଶିଂକ କ୍ଷତିଗ୍ରସ୍ତ ହେଉଛନ୍ତି ସେମାନଙ୍କୁ ଠିକ୍ ଭାବେ କ୍ଷତିପୂରଣ ଦିଆଯାଉ । ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉନ୍ନତିକରଣ ବେଳେ ପ୍ରଶାସନ ଯେପରି ପ୍ୟାକେଜ୍ ପ୍ରଭାବିତଙ୍କୁ ଦେଇଛି ସେଭଳି ସହାୟତା ଦିଆଯାଉ ବୋଲି ଆରଓବି କ୍ଷତିଗ୍ରସ୍ତ କମିଟି ଦାବି କରିଛି ।