ପୁରୀ: ଆସନ୍ତା ନଭେମ୍ବର ୨୧ ତାରିଖରେ ଅଁଳା ନବମୀ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ସାକ୍ଷୀଗୋପାଳରେ ଅଁଳା ନବମୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ସାକ୍ଷୀଗୋପାଳ ପଞ୍ଚସଖା ପାଠାଗାର ଠାରେ ଆୟୋଜିତ ଏହି ପ୍ରଥମ ବୈଠକରେ ଶ୍ରୀରାଧାଙ୍କର ଓଡିଆଣୀ ବେଶ ଶୃଙ୍ଖଳିତ ଦର୍ଶନ ପାଇଁ ଆଲୋଚନା କରାଯାଇଥିଲା । ସଠିକ ସମୟରେ ଦେବନୀତି ସମ୍ପନ୍ନ, ଶୃଙ୍ଖଳିତ ଦର୍ଶନ ସାଙ୍ଗକୁ ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗ ଭକ୍ତମାନଙ୍କୁ ଯୋଗାଇ ଦେବା ଉପରେ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଛି । ଏହି ଅଁଳା ନବମୀ ଦିନ ବର୍ଷକରେ ଥରେ ଓଡିଆଣୀ ବେଶ ସହିତ ପାଦ ଦର୍ଶନର ସୁଯୋଗ ପାଇଥାନ୍ତି ଭକ୍ତ । ଆସନ୍ତା ୧୪ ତାରିଖରେ ଦ୍ୱିତୀୟ ବୈଠକ କରାଯିବା ନେଇ ସ୍ଥିର କରାଯାଇଛି ।
ଭକ୍ତ ମାନେ ଅଁଳା ନବମୀ ଦିନ ଅଁଳା ଗଛକୁ ପୂଜାର୍ଚ୍ଚନା କରିବା ସହିତ ରାଧାଙ୍କର ପାଦ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି । ଚଳିତ ବର୍ଷ ଭକ୍ତମାନେ କିଭଳି ଶୃଙ୍ଖଳିତ ଦର୍ଶନ କରିପାରିବେ ସେନେଇ ଆଲୋଚନା କରାଯିବା ସହିତ ସ୍ୱତନ୍ତ୍ର ଦେବ ନୀତି ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି । ବିଶେଷ କରି ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବିଭିନ୍ନ ବିଭାଗ ସେମାନଙ୍କ ଦାୟିତ୍ବ ସୁଚାରୁ ରୁପରେ ତୁଲାଇବା ପାଇଁ ସତ୍ୟବାଦୀ ବିଧାୟକ ପରାମର୍ଶ ଦେଇଥିଲେ । ରାସ୍ତା ମରାମତି, ଆଲୋକୀକରଣ ବ୍ୟବସ୍ଥା, ପାନୀୟ ଜଳ, ସ୍ବାସ୍ଥ୍ୟ ସେବା, ଓ ବୃଦ୍ଧ ବୃଦ୍ଧାମାନଙ୍କ ପାଇଁ ଦର୍ଶନର ବ୍ୟବସ୍ଥା ପାଇଁ ଆଲୋଚନା କରାଯାଇଛି ।