ପୁରୀ:ବିଶ୍ବପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଅର୍ଥାତ୍ ଆସନ୍ତା ୧୮ ତାରିଖରେ ପୁରୀରୁ ହାୱଡା ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ । ଏଥିପାଇଁ ପୁରୀ ରେଳ ଷ୍ଟେସନରେ ଚାଲିଛି ଜୋରଦାର ପ୍ରସ୍ତୁତି । ପ୍ଲାଟଫର୍ମ ନଂ ୭ ଓ ୮କୁ ରଙ୍ଗ ବେରଙ୍ଗରେ ସଜା ଯାଉଛି । ଆସନ୍ତା ୧୮ ତାରିଖ ଦିନ ୧୨ ଟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରୁ ଭିଡିଓ କନଫରେନ୍ସି ମାଧ୍ୟମରେ ଏହି ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ବରିଷ୍ଠ ନେତା ଓ ସରକାରୀ ଅଧିକାରୀମାନେ ମଧ୍ୟ ପୁରୀରେ ଉପସ୍ଥିତ ରହିବେ ।
ତେବେ ବନ୍ଦେ ଭାରତ ଏକ୍ସପ୍ରେସ ସପ୍ତାହକୁ 6 ଦିନ ପୁରୀରୁ ହାୱଡା ଚଳାଚଳ କରିବ। ଏନେଇ ରେଲୱେ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ୧ଟା ୫୦ ମିନିଟରେ ଏହି ଟ୍ରେନ୍ ପୁରୀରୁ ବାହାରି ହାୱଡାରେ ସନ୍ଧ୍ୟା ୬ଟା ୩୦ରେ ପହଞ୍ଚିବ। ପୁରୀରୁ ଯାତ୍ରା କରିବାକୁ ଥିବା ଯାତ୍ରୀମାନେ ମାତ୍ର ସାଢ଼େ ପାଞ୍ଚଘଣ୍ଟା ମଧ୍ୟରେ ହାୱଡାରେ ପହଞ୍ଚି ପାରିବେ। ପୁରୀରୁ ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ନେଇ ବହୁ ଦାବି ପରେ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ବିଶେଷ କରି ପର୍ଯ୍ୟଟନ ସହର ପୁରୀକୁ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ କରିବାରେ ଏହି ବନ୍ଦେ ଭାରତ ଏକ୍ସପ୍ରେସ ଏକ ମାଇଲଖୁଣ୍ଟ ହେବ ବୋଲି ସମସ୍ତେ ଆଶା ରଖିଛନ୍ତି।
ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ରହିଛି ଅନେକ ଅତ୍ୟାଧୁନିକ ବ୍ୟବସ୍ଥା । ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଏହି ଏକ୍ସପ୍ରେସରେ ଅଟୋମେଟିକ୍ ଡୋର୍ ଲକ୍ ବ୍ୟବସ୍ଥା, ସିସିଟିଭି ଏବଂ ପରିଷ୍କାର ପରିଚ୍ଛନ୍ନତା ଉପରେ ବିଶେଷ ବ୍ୟବସ୍ଥା ରହିଛି। ଯାତ୍ରୀଙ୍କର କୌଣସି ଅସୁବିଧା ହେଲେ ସିଧାସଳଖ ଟ୍ରେନର ଲୋକ ପାଇଲଟ ସହ କଥାବାର୍ତ୍ତା ହେବା ନେଇ ବ୍ୟବସ୍ଥା ମଧ୍ୟ ରହିଛି। ତେବେ ଆସନ୍ତା ୧୮ ତାରିଖରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ହେବାକୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଜିଆରପି, ଆରପିଏଫ, ଓଡିଶା ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।