ପୁରୀ: ଜୁନ 24 ତାରିଖରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ସେଥିପାଇଁ ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମାର୍କେଟ ଛକ, ମାରିଚି କୋଟ ଛକରେ ବ୍ୟାରିକେଡ ସହ ଦେବସ୍ନାନ ମଣ୍ଡପରେ ଲୁହା ପାଇପ ବନ୍ଧା ଯାଇଛି । ବିନା ଭକ୍ତରେ ଶ୍ରୀମନ୍ଦିର ଚୌହଦିରେ 144 ଧାରା ଜାରି କରାଯାଇ ସ୍ନାନ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ଚାଲିଛି ।
ଦେବସ୍ନାନ ପୂର୍ଣ୍ଣିମା ନେଇ ପ୍ରସ୍ତୁତି ଆରମ୍ଭ ଏପଟେ ରଥଯାତ୍ରା ପାଇଁ ତିନି ରଥର ଉପରି ଭାଗ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଆଉ ମାତ୍ର 5 ଦିନ ପରେ ପବିତ୍ର ସ୍ନାନ ପୂର୍ଣ୍ଣିମା । 108 ଗରା ସୁବାସିତ ଜଳରେ ସ୍ନାନ କରିବା ସହ ଦୁର୍ଲ୍ଲଭ ହାତୀ ବେଶ ଧାରଣ କରିବେ। କୋଭିଡ ମାହାମାରୀ ପାଇଁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ସ୍ନାନ ପୂର୍ଣ୍ଣମୀ କରାଯିବ।
23 ତାରିଖ ସନ୍ଧ୍ୟା 6 ଟାରୁ 25 ତାରିଖ ସକାଳ 6ଟା ଯାଏଁ ବଡ଼ ଦାଣ୍ଡରେ କଟକଣା ଜାରି କରାଯିବ। 35 ପ୍ଲାଟୁନ ଫୋର୍ସ ସହ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଜିଲ୍ଲାପାଳ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବିଭିନ୍ନ ସେବାୟତ ନିଯୋଗ ସହ ଆଲୋଚନା କରି ନୀତିକୁ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ପରାମର୍ଶ ଦେଇଛନ୍ତି।
ସ୍ନାନ ପୂର୍ଣ୍ଣମୀ ପାଇଁ ଶୁକ୍ରବାର ଠାରୁ ବଡଦାଣ୍ଡ ବ୍ୟାରିକେଡ ବ୍ୟବସ୍ଥା ଆରମ୍ଭ ହୋଇଛି। 23 ତାରିଖ ରାତ୍ର ଗୋଟାଏରେ ଶ୍ରୀବିଗ୍ରହଙ୍କ ଧାଡି ପହଣ୍ଡି କରାଯିବା ପାଇଁ ଆଲୋଚନା କରାଯାଇଛି। ଏଥର ମଧ୍ୟ ବିନା ଭକ୍ତରେ ସ୍ନାନ ଯାତ୍ରା ହେଉଥିବାରୁ ମହାପ୍ରଭୁଙ୍କ ଜଳ ଲାଗି ଓ ହାତିବେଶ ସମୟରେ ଅଯଥା ଗହଳି ନକରିବାକୁ ପରାମର୍ଶ ଦିଆଯାଇଛି।
ଭକ୍ତ ମାନେ ଘରେ ବସି ଟିଭି ମାଧ୍ୟମରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଦେଖିପାରିବେ। ଦୂରଦର୍ଶନ ଓ ବିଭିନ୍ନ ଘରୋଇ ଚ୍ୟାନେଲ ପକ୍ଷରୁ ସିଧା ପ୍ରସାରଣ ନେଇ ବ୍ୟବସ୍ଥା କରାଯାଉଛି। ସ୍ନାନ ପୂର୍ଣ୍ଣମୀରେ ସାମିଲ ହେବାକୁ ଥିବା ସମସ୍ତ ସେବାୟତଙ୍କ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି।
ଅନ୍ୟପଟେ ରଥଯାତ୍ରା ପାଇଁ ତିନି ରଥର ନିର୍ମାଣ କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଛି। ରଥର ଉପରି ଭାଗ କାର୍ଯ୍ୟ ତ୍ବରାନ୍ବିତ ହୋଇଛି। ଛନ୍ଦା ଗୟଲ ପଡିବା ପରେ ପ୍ରଥମ ଭୁଇଁ, ପୋଟଳ, ଚଉଦ ନାହାକା କାର୍ଯ୍ୟ ମଧ୍ୟ ସରିବାକୁ ବସିଲାଣି । ରୂପକାରମାନେ ନାଟ ଗୋଡ଼ରେ ଖୋଦେଇ କାର୍ଯ୍ୟ କରୁଥିବା ବେଳେ କମାର ସେବକମାନେ ରଥର ଉପରି ଭାଗରେ ଲାଗୁଥିବା ଥିବା କଣ୍ଟା ପ୍ରସ୍ତୁତ କରାଯାଉଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଭଟିଭି ଭାରତ