ପୁରୀ:ଆରମ୍ଭ ହେଲା ପ୍ରସ୍ତୁତି । ଆସନ୍ତା 23 ରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅନୁଷ୍ଠିତ ହେବ ଚନ୍ଦନ ଯାତ୍ରା । ଏଥିପାଇଁ ଆରମ୍ଭ ହୋଇଯାଇଛ ପ୍ରସ୍ତୁତି ପର୍ବ । ନରେନ୍ଦ୍ର ପୁଷ୍କରିଣୀ ଜଳ ଭିତରେ ଏକ ବର୍ଷ ଧରି ବୁଡ଼ାଜାଇ ରଖାଯାଇ ଥିବା ମହାପ୍ରଭୁଙ୍କ ଚାପ ଡଙ୍ଗାକୁ ସେବାୟତଙ୍କ ଦ୍ବାରା କଢାଯାଇଛି । ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରା ଅବସରରେ ୨୧ ଦିନ ଧରି ଠାକୁର ମାନେ ପବିତ୍ର ନରେନ୍ଦ୍ର ପୁଷ୍କରିଣୀରେ ନୌବିହାର କରିବେ । ଏନେଇ ଆଜି ପବିତ୍ର ଚୈତ୍ର ପୂର୍ଣ୍ଣିମା ତିଥିରେ ପରମ୍ପରା ଅନୁଯାୟୀ ଭୋଇ ସେବକ ମାନେ 5 ଗୋଟି ଡଙ୍ଗାକୁ ପାଣି ଭିତରୁ କାଢିଛନ୍ତି ।
ତେବେ ଏହି ଡଙ୍ଗାକୁ ଖରାରେ ସୁଖାଯିବା ପରେ ପିଚୁ ରାଳ ଦିଆଯାଇ ଏହାର ମରାମତି ହେବ । ଆସନ୍ତା 23 ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହେବ । ପବିତ୍ର ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ସୁସଜ୍ଜିତ ନନ୍ଦାଭଦ୍ରା ଚାପ ଡଙ୍ଗାରେ ବସି ଜଳ କ୍ରୀଡ଼ା କରିବେ । ଏଥିପାଇଁ ନରେନ୍ଦ୍ର ପୁଷ୍କରିଣୀରେ ପ୍ରସ୍ତୁତି ଆରମ୍ଭ ହୋଇ ଥିବା ବେଳେ ସେବାୟତମାନେ ବେଶ୍ ଉତ୍ସାହିତ ଅଛନ୍ତି ।
ସେପଟେ ଚନ୍ଦନ ଯାତ୍ରା ପ୍ରସ୍ତୁତି ଆରମ୍ଭ ହୋଇ ଥିବା ବେଳେ ନରେନ୍ଦ୍ର ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆଗେଇ ଚାଲିଛି । ନରେନ୍ଦ୍ର ପୁଷ୍କରିଣୀର ଚାରିପାଖ ପାଚେରୀ ମରାମତି କାର୍ଯ୍ୟ କରାଯାଉଛି । ପାଚେରୀରେ ମହାପ୍ରଭୁଙ୍କ ବିଭିନ୍ନ ଲୀଳା ପଥରରେ ଖୋଦେଇ କରାଯାଇ ପୁଷ୍କରିଣୀର ସୌନ୍ଦର୍ଯ୍ୟ ଶୋଭା ବଢାଯିବ। ଉଜ୍ଜ୍ବଳ ଆଲୋକ ବ୍ୟବସ୍ଥା ସହ ଭକ୍ତଙ୍କ ବସିବା ପାଇଁ ସମସ୍ତ ବ୍ୟବସ୍ଥା ହେଉଛି । ସେପଟେ ମହାପ୍ରଭୁଙ୍କ ପବିତ୍ର ଚନ୍ଦନ ଯାତ୍ରା ଦେଖିବାକୁ ଭକ୍ତମାନେ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି । ତେବେ ଆସନ୍ତା ଏପ୍ରିଲ 23 ରେ ପବିତ୍ର ଅକ୍ଷୟ ତୃତୀୟା ହୋଇଥିବା ବେଳେ ଏହି ଦିନ ରଥଖଳାରେ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ । ବିଶ୍ଵକର୍ମା ମହାରଣାମାନେ ପାରମ୍ପରିକ ପୂଜାର୍ଚ୍ଚନା କରି ରଥ ନିର୍ମାଣ ଅନୁକୂଳ କରିବେ ।