ଓଡିଶା

odisha

ETV Bharat / state

ରାଧାକୃଷ୍ଣଙ୍କ ରାସ ଉତ୍ସବ: ଦୋଳି ଖେଳିବେ ଶ୍ରୀରାଧାକୃଷ୍ଣ, ନୂତନ ସାଜସଜ୍ଜାରେ ଝଲସୁଛି ଝୁଲଣ କୁଞ୍ଜ - radhakrishnas rasa utsav

ଆସନ୍ତାକାଲିଠାରୁ ଶ୍ରୀକ୍ଷେତ୍ରରେ ଶ୍ରୀରାଧାକୃଷ୍ଣଙ୍କ ରାସ ଉତ୍ସବ । ପବିତ୍ର ଝୁଲଣ ଯାତ୍ରା ପାଇଁ ଝୁଲଣ କୁଞ୍ଜରେ ହୋଇଛି ସାଜସଜ୍ଜା । ଅଧିକ ପଢନ୍ତୁ

ପବିତ୍ର ଝୁଲଣ ଯାତ୍ରା ପାଇଁ ସାଜସଜ୍ଜା
ପବିତ୍ର ଝୁଲଣ ଯାତ୍ରା ପାଇଁ ସାଜସଜ୍ଜା

By ETV Bharat Odisha Team

Published : Aug 25, 2023, 4:13 PM IST

ପବିତ୍ର ଝୁଲଣ ଯାତ୍ରା ପାଇଁ ସାଜସଜ୍ଜା

ପୁରୀ:ଶ୍ରୀକ୍ଷେତ୍ରରେ ଆସନ୍ତାକାଲିଠାରୁ ପବିତ୍ର ଝୁଲଣ ଯାତ୍ରା ଆରମ୍ଭ ହେବ। ଶ୍ରାବଣ ଶୁକ୍ଳ ଦଶମୀରୁ ପ୍ରତିପଦା ଯାଏଁ ଶ୍ରୀମନ୍ଦିର ସମେତ ବିଭିନ୍ନ ମଠବାଡ଼ିରେ ଏହି ଝୁଲଣ ଯାତ୍ରା ଚାଲିବ। ଗୋପୀମାନଙ୍କ ଗହଣରେ ଶ୍ରୀ ରାଧାକୃଷ୍ଣଙ୍କ ବିଳାସମୟ ଦୋଳିଖେଳ ହେଉଛି ଝୁଲଣ ଯାତ୍ରା। ଏଥିପାଇଁ ଶ୍ରୀମନ୍ଦିର ସହ ବିଭିନ୍ନ ମଠ, ମନ୍ଦିରରେ ମଧ୍ୟ ପ୍ରସ୍ତୁତି ସରିଛି। ଝୁଲଣ କୁଞ୍ଜ ତଥା ଦୋଳିକୁ ଆକର୍ଷଣୀୟ ଭାବେ ସଜାଯାଇଛି। ଝୁଲଣ କୁଞ୍ଜକୁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପ୍ରକାର ଝାଲର, ଫୁଲ, ନାଗାଫୁଲ, ଖମ୍ୱ ଝାଲର ଓ ବାଙ୍କ ଝାଲର ଆଦି ଲଗାଯାଇଛି।

ରାଧାକୃଷ୍ଣଙ୍କ ସହ ରାମସୀତା, ଲକ୍ଷ୍ମୀ ନୃସିଂହ ବିଭିନ୍ନ ଦିବସରେ ଦୋଳି ଖେଳିବେ। ରଙ୍ଗବେରଙ୍ଗ ଆଲୋକମାଳାରେ ସଜ୍ଜିତ ଝୁଲଣ କୁଞ୍ଜ ମଧ୍ୟରେ ଜରି ଜମ୍‌ବୁରା କାମ କରାଯାଇଛି । ଏଥିସହ ସୋଲରେ ପ୍ରସ୍ତୁତ ଫୁଲ ଓ କଦମ୍ୱ ମାଳ କୁଞ୍ଜର ଶୋଭାକୁ ଆହୁରି ବଢ଼ାଇ ଦେଉଛି । ସୋଲରେ ପ୍ରସ୍ତୁତ ବିଭିନ୍ନ ପକ୍ଷୀ କୁଞ୍ଜ ପରିବେଶକୁ ଅଧିକ ଆକର୍ଷଣୀୟ କରିଛନ୍ତି । ତେବେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନେ ଝୁଲଣ କୁଞ୍ଜରେ ବିଜେ ହେବା ପରେ ସେବକ ତଥା ପ୍ରସିଦ୍ଧ ଗାୟକଙ୍କ ଦ୍ଵାରା ପାରମ୍ପରିକ ଚମ୍ପୁ, ଛାନ୍ଦ ଓ ପୁରାତନ ଝୁଲଣର ରାସ ଗୀତ ପରିବେଷିତ ହୋଇଥାଏ ।
ଏହା ମଧ୍ୟ ପଢନ୍ତୁ...ଅକ୍ଟୋବରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ଆସନ୍ତାକାଲି ଅର୍ଥାତ୍ ୨୬ ତାରିଖରୁ ଶ୍ରୀକ୍ଷେତ୍ରରେ ଝୁଲଣ ମହୋତ୍ସବର ଶୁଭାରମ୍ଭ ହେବାକୁ ଥିବାବେଳେ ଠାକୁରଙ୍କ ଏହା ହେଉଛି ବର୍ଷାକାଳୀନ ରାହାସ ଉତ୍ସବ । ଏହି ଉତ୍ସବ ଅବସରରେ ସୁସଜ୍ଜିତ ଝୁଲଣ କୁଞ୍ଜରେ ବିଜେ ହେବେ ଦେବାଦେବୀ ।‌ କୁଞ୍ଜକାନନର ପଶୁପକ୍ଷୀଙ୍କ କଳରବ ମଧ୍ୟରେ ଠାକୁର ଝୁଲୁଥିବାର ଦୃଶ୍ୟ ଭକ୍ତଙ୍କୁ ଭାବ ବିହ୍ୱଳ କରିଥାଏ ।‌ ଝୁଲଣ ଯାତ୍ରା ପାଇଁ ମଠ ବାଡ଼ିମାନଙ୍କରେ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ମଠରେ ଚଳିତ ବର୍ଷ ନୂତନ ଧରଣର ସାଜସଜ୍ଜା ହୋଇଥିବା ଦେଖିବାକୁ ମିଳିଛି ।

ଦ୍ୱାପର ଯୁଗରେ ଆଧାରିତ ଶ୍ରୀକୃଷ୍ଣଙ୍କ ଲୀଳା ଓ ପ୍ରକୃତିର ରଙ୍ଗ ରୂପ ପ୍ରସ୍ତୁତି ହେଉଛି । ପାରମ୍ପରିକ କାରିଗରମାନଙ୍କ ସାଜସଜ୍ଜାରେ ଝଲସିବ କୁଞ୍ଜ ।‌ କୁଞ୍ଜରେ ଶୁଆ ସାରୀ, ବଣି ପାରା, ଗୁଣ୍ଡୁଚି ମୂଷା, ଗାଈ, ମାଙ୍କଡ଼ ଆଦି ମୂର୍ତ୍ତି ଖଞ୍ଜାଯାଇଛି । ଉତ୍ତର ପାର୍ଶ୍ଵ ମଠ, ରାଧାବଲ୍ଲଭ ମଠ, ଜଗନ୍ନାଥ ବଲ୍ଲଭ ମଠ, ବଡ଼ ଓଡ଼ିଆ ମଠ, ଜିଅର ସ୍ୱାମୀ ମଠ ସମେତ ପୁରୀର ବିଭିନ୍ନ ମଠ ମନ୍ଦିରରେ ଏହି ଝୁଲଣ ଯାତ୍ରା ପାଳନ ହେବ । 7 ଦିନ ବ୍ୟାପି ଶ୍ରୀକ୍ଷେତ୍ରରେ ଏହି ଝୁଲଣ ଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିପାଇଁ ଚଳଚଞ୍ଚଳ ହୋଇଛି ଶ୍ରୀକ୍ଷେତ୍ର । ଏହି ଝୁଲଣ ଯାତ୍ରାକୁ ଦେଖିବା ସହ ଝୁଲଣ କୁଞ୍ଜରେ ଠାକୁରଙ୍କ ଦର୍ଶନ ପାଇଁ ବେଶ ବ୍ୟାକୁଳତାର ସହ ଅପେକ୍ଷା କରିଛନ୍ତି ଭକ୍ତ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details