ପୁରୀ: ଆଜି ପ୍ରଥମାଷ୍ଟମୀ(Prathamastami) । ଶ୍ରୀମନ୍ଦିରରେ ପଢ଼ୁଆଁ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ(Lord Jagannath)। ଏଥି ପାଇଁ ମହାପ୍ରଭୁଙ୍କ ମାମୁଁ ଘର କଟକ ନିଆଳି ଶ୍ରୀମାଧବନନ୍ଦଜୀଉ ମନ୍ଦିରରୁ ଆସିଛି ପୋଢ଼ୁଆଁ ଭାର । ଏହି ଭାରରେ ଅରୁଆ ଚାଉଳ, ବିରି, ନଡିଆ, ଗୁଡ, ଡାଲି, ପାଚିଲା କଦଳୀ, ଘିଅ, ଚନ୍ଦନ କାଠ, ପାନ, ଗୁଆ, ଅଳେଇଚ, ଲବଙ୍ଗ ଆଦି ଆସିଥିବା ବେଳେ ମହାପ୍ରଭୁଙ୍କ ଗୋପାଳବଲ୍ଲଭ ପାଇଁ ଫଳମୂଳ, ତୁଳସୀ ଓ ପଦ୍ମଫୁଲ ମାଳ ମଧ୍ୟ ଆସିଛି।
ପରମ୍ପରା ଅନୁଯାୟୀ ମାର୍ଗଶୀର କୃଷ୍ଣପକ୍ଷ ଅଷ୍ଟମୀ ତିଥି ଦିନ ଏହି ପର୍ବ ପାଳନ କରାଯାଏ । ଏହା ଲୋକଭାଷାରେ ‘ପୋରୁହାଁ ଅଷ୍ଟମୀ’ ବା ‘ପଢ଼ୁଆଁ ଅଷ୍ଟମୀ’ ବୋଲି କୁହାଯାଏ। କାରଣ, ‘ପୋରୁହାଁ’ ବା ‘ପଢ଼ୁଆଁ’ ହେଉଛି ‘ପ୍ରଥମ’ ଶବ୍ଦର ଅପଭ୍ରଂଶ । ଏହିଦିନ ଜ୍ୟେଷ୍ଠ ସନ୍ତାନର ଦୀର୍ଘଜୀବନ କାମନା କରି ଷଷ୍ଠୀଦେବୀଙ୍କ ପୂଜା କରାଯାଏ । କାରଣ, ଷଷ୍ଠୀଦେବୀ ହେଉଛନ୍ତି ‘ଜ୍ୟେଷ୍ଠାଦେବୀ’। ଏନେଇ ଶ୍ରୀମନ୍ଦିରରେ ଭୋଗ ମଣ୍ଡପ ସରିବା ପରେ ୩ ବାଡରେ ମଇଲମ କରାଯାଇ ପୂଜାପଣ୍ଡା ସେବକଙ୍କ ଦ୍ବାରା ମହାସ୍ନାନ ନୀତି ହୋଇଥାଏ । ଏହାପରେ ପାଳିଆ ପୁଷ୍ପାଳକ ଶ୍ରୀବିଗ୍ରହମାନଙ୍କୁ ନୂଆଲୁଗା ଲାଗି କରାଇଥାନ୍ତି ।