ପୁରୀ: ଶ୍ରୀମନ୍ଦିର ଗର୍ଭଗୃହ ଭିତର ଫଟୋ ଓ ଭିଡିଓ ଭାଇରାଲ୍ ଘଟଣା । ଏନେଇ ଆକ୍ସନ ମୋଡରେ ପୋଲିସ । ଫଟୋ ଭାଇରାଲ କରିଥିବା ଅଭିଯୁକ୍ତ ଆକାଶ ଚୌଧୁରୀ ନାମରେ ପୁରୀ ସିଂହଦ୍ଵାର ଥାନାରେ ମାମଲା ରୁଜୁ ପରେ ତଦନ୍ତକୁ ଜୋରଦାର କରାଯାଇଛି । ଅଭିଯୁକ୍ତ ଆକାଶ ଚୌଧୁରୀ ବାଂଲାଦେଶର ବୋଲି କୁହାଯାଉଥିବା ବେଳେ ତା ବିଷୟରେ ସବିଶେଷ ତଥ୍ୟ ପାଇଁ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟକୁ ପୋଲିସ ପକ୍ଷରୁ ମଗାଯାଇଛି ତଥ୍ୟ ।
ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ ୟୁଟ୍ୟୁବର ହୋଇଥିବା ବେଳେ ଅଧିକ ତଥ୍ୟ ପାଇଁ ପୁରୀ ପୋଲିସ ୟୁଟୁବ ସହିତ ମଧ୍ୟ ଯୋଗାଯୋଗ କରିଛି । ସେହିପରି କେଉଁ ପରିସ୍ଥିତିରେ ଅଭିଯୁକ୍ତ ଆକାଶ ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେଇ ଫଟୋ ଓ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ କଲେ ସେନେଇ ଶ୍ରୀମନ୍ଦିର ସିସିଟିଭିକୁ ଯାଞ୍ଚ କରାଯାଇଛି । ଅନ୍ୟପଟେ କୌଣସି ଅଧିକାରୀ କିମ୍ବା ବ୍ୟକ୍ତି ବିଶେଷ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଅଣଦେଖା କରିଥିବେ ସେନେଇ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସପି ।