ଓଡିଶା

odisha

ETV Bharat / state

ବାର ଓ ରେସ୍ତୋରାଁ ବନ୍ଦ କରିବାକୁ ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର

ପିପିଲି ଯଶୁଆପୁର ଅଞ୍ଚଳରେ ବାର୍ ଓ ରେସ୍ତୋରାଁ ବନ୍ଦ କରିବା ପାଇଁ ଦାବି । ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ସ୍ଥାନୀୟ ବାସନ୍ଦା । ଅଧିକ ପଢନ୍ତୁ

ମଦ ଦୋକାନ ବନ୍ଦ କରିବାକୁ ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର
ମଦ ଦୋକାନ ବନ୍ଦ କରିବାକୁ ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର

By

Published : Jan 28, 2023, 7:28 AM IST

ମଦ ଦୋକାନ ବନ୍ଦ କରିବାକୁ ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର

ପୁରୀ: ପିପିଲି ଅଞ୍ଚଳରେ ବାର୍ ଓ ରେସ୍ତୋରାଁ ବନ୍ଦ କରିବା ପାଇଁ ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି । ପିପିଲି ଥାନା ଅନ୍ତର୍ଗତ ଯଶୁଆପୁର ଗ୍ରାମପଞ୍ଚାୟତ ମାଟିଆ ସାହି ଗ୍ରାମର ବାସିନ୍ଦା ଜିଲ୍ଲାପାଳଙ୍କୁ ଏହି ଦାବିପତ୍ର ଦେଇଛନ୍ତି । ଯଶୁଆପୁର ମଉଜାରେ ଖାତା ନଂ ୪୬୦ ଓ ପ୍ଲଟ ନଂ ୧୨୭୪/୧୭୨୪ ପ୍ଲଟ୍ ଉପରେ ପିକେ ବାର୍ ଓ ରେସ୍ତୋରାଁ ସହ ଠିପି ଖୋଲା ମଦ ଦୋକାନ ଥିବାରୁ ମାଟିଆସାହି ଗ୍ରାମବାସୀମାନେ ସେହି ରାସ୍ତା ଦେଇ ୟାତାୟତ କରିପାରୁ ନାହାନ୍ତି । ଅନେକ ସମୟରେ ମଦ୍ୟପମାନେ ମହିଳା ଓ ଛାତ୍ରୀଙ୍କୁ ଅଶ୍ଳୀଳ ବ୍ୟବହାର ମଧ୍ୟ କରୁଛନ୍ତି ।

ଗ୍ରାମବାସୀମାନେ ଆହୁରିମଧ୍ୟ ଅଭିଯୋଗ କରିଛନ୍ତି ଯେ, ଅସାମାଜିକ ବ୍ୟକ୍ତିମାନେ ମଦ ଦୋକାନ ନିକଟରେ ବସି ରହୁଛନ୍ତି । ସେହି ରାସ୍ତାରେ ଛୋଟଛୋଟ ପିଲା ତଥା ଛାତ୍ରଛାତ୍ରୀ ସ୍କୁଲ୍ ଓ କଲେଜ ଯିବାଆସିବା କରୁଛନ୍ତି । ତେଣୁ ଏଠାରେ ବିଭିନ୍ନ ଅଘଟଣ ଘଟିବାର ଆଶଙ୍କା ରହିଛି । ସେହିପରି ମଦ ଦୋକାନ ଯୋଗୁଁ କୋମଳମତି ଛାତ୍ରଛାତ୍ରୀଙ୍କ ଉପରେ କୁପ୍ରଭାବ ପଡୁଛି । ଗ୍ରାମ ପାଖରେ ମଦ ଦୋକାନ ଥିବାରୁ ଯୁବପିଢ଼ି ମଧ୍ୟ ପଥ ଭ୍ରଷ୍ଟ ହେଉଛନ୍ତି । ସେମାନେ ସବୁବେଳେ ମଦ୍ୟପାନ କରି ଘରେ ଝଗଡା କରିବା ସହ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ଯାହାକୁ ନେଇ ଅଭିଭାବକମାନେ ଚିନ୍ତିତ ହୋଇ ପଡ଼ିଛନ୍ତି । ସେଥିପାଇଁ ମଟିଆ ସାହି ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷମାନେ ମଦ ଦୋକାନକୁ ତୀବ୍ର ବିରୋଧ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ୧୦ହଜାର ଲାଞ୍ଚ ନେବାବେଳେ ଧରାପଡିଲେ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣୀ

ମାଟିଆ ସାହି ହରିଜନ ବସ୍ତିଟି ପ୍ରସ୍ତାବିତ ଠିପି ଖୋଲା ମଦ ଦୋକାନ ଠାରୁ ୧୫୮ ମିଟର ଦୂରରେ ଥିବାବେଳେ ଜାତୀୟ ରାଜପଥଠାରୁ ମାତ୍ର ୬୫ ମିଟର ଦୂରତାରେ ରହିଛି । ଯାହାକି ଓଡ଼ିଶା ଅବକାରୀ ବିଭାଗ ନିୟମକୁ ଉଲ୍ଲଂଘନ କରୁଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏହି ମଦ ଦୋକାନକୁ ସ୍ଥାନାନ୍ତର କରିବା ପାଇଁ ସେମାନେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ନିକଟରେ ଦାବି ଜଣାଇଥିଲେ ହେଁ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି ।

ସେଥିପାଇଁ ଶେଷରେ ବାଧ୍ୟ ହୋଇ ପୁରୀ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଥିବା କହିଛନ୍ତି ଗ୍ରାମବାସୀ । ମଦ ଦୋକାନ ସ୍ଥାନାନ୍ତର କରାନଗଲେ ଆଗାମୀ ଦିନରେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଯଦି କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିବ ସେଥିପାଇଁ ପୋଲିସ୍ ଓ ପ୍ରଶାସନ ଦାୟୀ ରହିବେ ବୋଲି ସେମାନେ କହିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details