ଓଡିଶା

odisha

ETV Bharat / state

ମହାସମର ପାଇଁ ପ୍ରସ୍ତୁତ ପିପିଲି, ଏଥର ରଣଭୂମିରେ ଏକା ନାହାଁନ୍ତି ମହାରଥୀ - ରୁଦ୍ର ମହାରଥୀ

ନିର୍ବାଚନୀ ବିଗୁଲ ବାଜିବା ସହିତ ପିପିଲି ମହାସମର ପାଇଁ ସଜେଇ ହେଉଛି ମୈଦାନ । ଏହି ମୈଦାନରେ ଶହେ ଘୋଡାକୁ ଶହେ ହାତୀ ବି ଅଛନ୍ତି । ହେଲେ ରଣଭୂମିରେ ଏଥର ଏକା ନାହାନ୍ତି ମହାରଥୀ । ଅଧିକ ପଢନ୍ତୁ...

ମହାସମର ପାଇଁ ପ୍ରସ୍ତୁତ ପିପିଲି, ଏଥର ରଣଭୂମିରେ ଏକା ନାହାଁନ୍ତି ମହାରଥୀ
ମହାସମର ପାଇଁ ପ୍ରସ୍ତୁତ ପିପିଲି, ଏଥର ରଣଭୂମିରେ ଏକା ନାହାଁନ୍ତି ମହାରଥୀ

By

Published : Apr 2, 2021, 7:03 PM IST

Updated : Apr 2, 2021, 9:47 PM IST

ପୁରୀ: ରାତି ପାହିଛି । ଆଉ ଗୋଟିଏ ନୂଆ ସକାଳର ସାକ୍ଷୀ ପାଲଟୁଛି ପିପିଲି ମାଟି । ହେଲେ ସରିନାହିଁ ରାଜନୀତି । ପୁଣି ସଜେଇ ହୋଇଛି ରଣଭୂମି । ମାତ୍ର ରଣଭୂମିରେ ରଣହୁଙ୍କାର ଭରିବାକୁ ଆଉ ଶୁଣିବାକୁ ମିଳୁନି ସେ ଗୁରୁଗମ୍ଭୀର ସ୍ବର । ନିର୍ବାଚନୀ ବିଗୁଲ ବାଜିବା ସହିତ ପିପିଲି ମହାସମର ପାଇଁ ସଜେଇ ହେଉଛି ମୈଦାନ । ଏହି ମୈଦାନରେ ଶହେ ଘୋଡାକୁ ଶହେ ହାତୀ ବି ଅଛନ୍ତି । ହେଲେ ଏଥର ଏକା ନାହାନ୍ତି ମହାରଥୀ । କାରଣ ମହାରଥୀଙ୍କ ପଛରେ ରହିଛି ଶାସକ ଦଳର ସମସ୍ତ ଶକ୍ତି ।

ବହୁ ପ୍ରତିକ୍ଷିତ ପିପିଲି ଉପନିର୍ବାଚନକୁ ଆଉ ବାକି ରହିଛି ଅଳ୍ପ କେଇଦିନ । ଘୋଷଣା ହୋଇସାରିଛି ପ୍ରାର୍ଥୀଙ୍କ ନାଁ । ଗତଥରର ସାଧାରଣ ନିର୍ବାଚନ ଠାରୁ ଏଥରର ଉପନିର୍ବାଚନର ଚିତ୍ର ରହିଛି ସମ୍ପୂର୍ଣ୍ଣ ଭିନ୍ନ । କାରଣ ମୈଦାନରେ ଅଛନ୍ତି ଜୁନିୟର ମହାରଥୀ । ପୂର୍ବତନ ପିପିଲି ବିଧାୟକ ଦିବଙ୍ଗତ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଏହି ଆସନରୁ ତାଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ପ୍ରାର୍ଥୀ କରିଛି ବିଜୁ ଜନତା ଦଳ । ରୁଦ୍ରଙ୍କୁ ଜିତାଇବାକୁ ମୋର୍ଚ୍ଚା ସମ୍ଭାଳିଛନ୍ତି ବିଜେଡିର ବଡବଡ ନେତାମନ୍ତ୍ରୀ ।

ସେପଟେ ବିଜେପି ପକ୍ଷରୁ ଏଥର ମୈଦାନରେ ଅଛନ୍ତି ଆଶ୍ରିତ ପଟ୍ଟନାୟକ । ଆଶ୍ରିତଙ୍କୁ ନେଇ ବିଜୟର ବିଶ୍ବାସ ରଖିଛି ବିଜେପି । ୨୦୧୯ ନିର୍ବାଚନରେ ମଧ୍ୟ ବିଜେପି ଆଶ୍ରିତଙ୍କୁ ପ୍ରାର୍ଥୀ କରିଥିଲା। ସେତେବେଳେ ସେ ୭୨,୭୩୧ ଖଣ୍ଡ ଭୋଟ ପାଇଥିଲେ। ସେ ସମୟରେ ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀ ୮୮,୫୧୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ତେବେ ମହାରଥୀ ଓ ଆଶ୍ରିତଙ୍କ ମଧ୍ୟରେ ମାତ୍ର 15,787 ଭୋଟର ବ୍ୟବଧାନ ଥିଲା । ତେବେ ଏଥର ମୈଦାନରେ ପ୍ରଦୀପ ମହାରଥୀଙ୍କ ଅନୁପସ୍ଥିତି ବିଜେପିକୁ ଅଧିକ ଲାଭ ପହଞ୍ଚାଇବ । ଏଥିପାଇଁ ଦଳ ବିଜୟକୁ ନେଇ ଅଧିକ ଆଶାବାଦୀ ରହିଛି ।

କେବଳ ଏତିକି ନୁହେଁ । ଗୋଟିଏ ପକ୍ଷେ ଆଶ୍ରିତ ରାଜନୀତିରେ ଅଭିଜ୍ଞ ଥିବା ବେଳେ ରୁଦ୍ର ସମ୍ପୂର୍ଣ୍ଣ ନବାଗତ । ବାପାଙ୍କ ଅନୁପସ୍ଥିତି ଆଉ ସାମ୍ନାରେ ବିଜେପି ମହାସେନା ଆଗରେ ରୁଦ୍ରଙ୍କ ବିଜୟର କଠିନତାକୁ ମଧ୍ୟ ବେଶ ବାରି ପାରୁଛି ବିଜେଡି ।

ମହାରଥୀଙ୍କ ଗଡରେ ବିଜୟ ଧ୍ବଜା ଉଡାଇବାକୁ ପ୍ରାର୍ଥୀ ଘୋଷଣା ପରେ ପ୍ରଥମେ ବିଜେପି ଜାରି କରିଥିଲା ଷ୍ଟାର ପ୍ରଚାରକ ତାଲିକା । ଏହି ଷ୍ଟାର ପ୍ରଚାରକ ଲିଷ୍ଟରେ ରାଜ୍ୟ ସଭାପତିଙ୍କ ସମେତ ରାଜ୍ୟ ପ୍ରଭାରୀ, ସହ ପ୍ରଭାରୀ, ଦୁଇ କେନ୍ଦ୍ରମନ୍ତ୍ରୀ, ସାଂସଦ, ରାଷ୍ଟ୍ରୀୟ ଉପ ସଭାପତି, ରାଷ୍ଟ୍ରୀୟ ମୁଖପାତ୍ର, ବିରୋଧୀ ଦଳ ନେତା, ବିଧାୟକ ଓ ରାଜ୍ୟ ଉପସଭାପତି, ସାଧାରଣ ସମ୍ପାଦକ ଓ ମହିଳା ମୋର୍ଚ୍ଚାର ସଦସ୍ୟ ଅଛନ୍ତି । ଏଭଳିସ୍ଥିତିରେ ରୃଦ୍ରଙ୍କୁ ନୌକାରେ ବସାଇ ନିର୍ବାଚନୀ ବୈତରଣୀ ପାର କରିବା ବିଜେଡି ପକ୍ଷେ ଏତେ ସହଜ ହେବନାହିଁ । ଏନେଇ ରୁଦ୍ରଙ୍କୁ ସହଯୋଗ କରିବାକୁ ୭ ମନ୍ତ୍ରୀଙ୍କ ସମେତ 2 ସାଂସଦ ଓ ୧୬ ବିଧାୟକଙ୍କୁ ପ୍ରଚାର ଦାୟିତ୍ବ ଦେଇଛି ବିଜେଡି । କେବଳେ ଏତିକି ନୁହେଁ, ପ୍ରଚାର ମୈଦାନକୁ ଓହ୍ଲାଇବେ ଖୋଦ ରାଜ୍ୟର ମୁଖିଆ ନବୀନ ପଟ୍ଟନାୟକ । ଏସବୁକୁ ଦୃଷ୍ଟିରେ ରଖିଲେ ରୁଦ୍ର ତଥା ଜୁନିୟର ମହାରଥୀ ଏଥର ଏକା ନଥିବା ଜୋର ଦେଇ କୁହାଯାଇପାରେ ।

ପତିଆରାର ବିରାଟ ପଟୁଆର ଭିତରେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ ରୁଦ୍ର ମହାରଥୀ । ବିଜେଡି ପ୍ରାର୍ଥୀ ରୁଦ୍ରଙ୍କ ନାମାଙ୍କନ ଦାଖଲ ପୂର୍ବରୁ ବିଜେଡି ପିପିଲିରୁ ପୁରୀ ପର୍ଯ୍ୟନ୍ତ କରିଥିଲା ବିଶାଳ ରାଲି । ବରିଷ୍ଠ ନେତା ପ୍ରତାପ ଦେବ, ଦେବୀ ମିଶ୍ର, ପ୍ରଣବ ପ୍ରକାଶ ଦାସ, ସମୀର ରଞ୍ଜନ ଦାଶ, ଉମାକାନ୍ତ ସାମନ୍ତରାୟ ରାଲିରେ ସାମିଲ ହୋଇଥିଲେ । ରୁଦ୍ର ମହାରଥୀଙ୍କ ଭଉଣୀ ପଲ୍ଲବୀ ଓ ଭିଣୋଇ ଅର୍ଦ୍ଧେନ୍ଦୁ ମଧ୍ୟ ମଧ୍ୟ ରାଲିରେ ଥିଲେ ଉପସ୍ଥିତ ।

ବିଜେଡିର ଟାଣୁଆ ନେତା ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଏହି ଆସନରୁ କିଏ ପ୍ରାର୍ଥୀ ହେବ ଏନେଇ ଦଳ ମଧ୍ୟରେ ହୋଇଥିଲା ଅନେକ ବିଚାର ବିମର୍ଶ । ଏହାରି ଭିତରେ ଟିକେଟ ଭାଗବଣ୍ଟାକୁ ନେଇ ମହାରଥୀ ପରିବାରରେ ଫାଟ ସୃଷ୍ଟି ହେବାକୁ ନେଇ ମଧ୍ୟ ଜୋର ଧରିଥିଲା ଚର୍ଚ୍ଚା ।

ପ୍ରଦୀପ ମହାରଥୀଙ୍କ ସ୍ତ୍ରୀ ଓ ପୁଅଙ୍କ ମଧ୍ୟରୁ କାହାରି ଜଣଙ୍କୁ ଟିକେଟ ମିଳିବା ନେଇ ସମ୍ଭାବନା ସୃଷ୍ଟି ହୋଇଥିବା ବେଳେ ଶେଷରେ ପୁଅ ରୁଦ୍ରଙ୍କ ପ୍ରାର୍ଥୀତ୍ବ ଉପରେ ମୋହର ମାରିଥିଲେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ । ଆଉ ପ୍ରାର୍ଥୀ ଘୋଷଣା ପରେ ମହାରଥୀ ପରିବାରରେ ଦେଖିବାକୁ ମିଳିଥିଲା ହାଇଭୋଲଟେଜ ଡ୍ରାମା । ପୁଅକୁ ଟିକେଟ ମିଳିବାରୁ ମା' ଋଷିଥିବା ନେଇ ଚାରିଆଡେ ଆଲୋଚନା ହୋଇଥିଲା । ଶେଷରେ ମହାରଥୀ ପରିବାରକୁ ବିଜେଡି ନେତାଙ୍କ ଘନଘନ ଗସ୍ତ ସହିତ ମା'ଙ୍କ ମାନଭଞ୍ଜନ ପରେ ଏହି ହାଇଭୋଲଟେଜ ଡ୍ରାମାରେ ପଡିଥିଲା ପୂର୍ଣ୍ଣଛେଦ । ଆଉ ଗାଦିର ମୋହରୁ ଉର୍ଦ୍ଧ୍ବକୁ ଉଠି ମମତାକୁ ଗୁରୁତ୍ବ ଦେଇଥିଲେ ମା' ପ୍ରତିଭା । ଗଣମାଧ୍ୟର ଆଲୋଚନାକୁ ଖଣ୍ଡନ କରି ପ୍ରତିଭା କହିଥିଲେ, 'ବାପ ଥିଲା ପୁଅ ସଭାରେ ହାରେନା, ମାଆ ଥିଲେ ପୁଅ ଦୁନିଆ ଡରେନା' ।

ଏପଟେ ନିର୍ବାଚନ ଆସିଲେ ଆରମ୍ଭ ହୋଇଯାଏ ସହାନୁଭୂତିର ରାଜନୀତି । ବିଜେଡିରୁ ପ୍ରାର୍ଥୀ ହେବା ପରେ ବାପା ପ୍ରଦୀପ ମହାରଥୀଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବା ସହ ପିପିଲି ନିର୍ବାଚନ ମଣ୍ଡଳୀର ବିକାଶ ମୂଳ ଲକ୍ଷ୍ୟ ଥିବା ପ୍ରତିକ୍ରିୟା ଦେଇଥିଲେ ପୁଅ ରୁଦ୍ର ।

ସେପଟେ ଦିବଙ୍ଗତ ବିଜେଡି ନେତା ତଥା ରୁଦ୍ରଙ୍କ ବାପା ପ୍ରଦୀପ ମହାରଥୀଙ୍କ ଲମ୍ବା ରାଜନୈତିକ ଇନିଙ୍ଗ୍ସ ଉପରେ ଯଦି ନଜର ପକାଇବା ତାହେଲେ, ନିଜର ନିଆରା ବାକ୍‌ ଶୈଳୀ ପାଇଁ ରାଜନୈତିକ ଜଗତରେ ବେଶ ଚର୍ଚ୍ଚିତ ଚେହେରା ଥିଲେ ସେ । କେବଳ ପିପିଲି ନୁହେଁ ସମଗ୍ର ପୁରୀ ଜିଲ୍ଲାର ପୁର ପଲ୍ଲୀରେ ରହିଥିଲା ଥିଲା ତାଙ୍କ ସ୍ବତନ୍ତ୍ର ପରିଚୟ । ଛାତ୍ର ଜୀବନରୁ ହିଁ ରାଜନୀତି ପ୍ରତି ମହାରଥୀଙ୍କ ରୁଚି ତାଙ୍କୁ ଓଡିଶା ବିଧାନସଭାର ଏକ ଦକ୍ଷ ନେତା ଭାବରେ ପରିଚୟ ପ୍ରଦାନ କରିଥିଲା ।

୧୯୭୭ ମସିହା ପୁରୀ ସାମନ୍ତ ଚନ୍ଦ୍ରଶେଖର ସ୍ବଂୟଶାସିତ ମହାବିଦ୍ୟାଳୟର ଛାତ୍ରସଂସଦ ସଭାପତି ଭାବେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ମହାରଥୀ ଆଉ ପଛକୁ ଫେରି ଚାହିଁନଥିଲେ । ଶହେ ଘୋଡାକୁ ଶହେ ହାତୀ, ଏକା ଲଢିବ ମହାରଥୀ କହି ନିର୍ବାଚନୀ ମୈଦାନରେ ରଣହୁଙ୍କାର ଭରୁଥିଲେ ମହାରଥୀ ।

୧୯୮୫ ମସିହାରେ ପ୍ରଥମଥର ପାଇଁ ଜନତା ଦଳ ଟିକେଟରେ ନିର୍ବାଚିତ ହୋଇ ବିଧାୟକ ଭାବେ ଶପଥ ନେଇଥିଲେ ପ୍ରଦୀପ । ୧୯୯୫ ମସିହାରେ ଗୋଟିଏ ଥର ସେ ନିର୍ବାଚନରେ ପରାଜିତ ହୋଇଥିଲେ । ପରେ ସେ ଆଉ କେବେ ବି ହାରି ନାହାନ୍ତି । ପିପିଲି ବିଧାନସଭା ଆସନରୁ ମହାରଥୀ ବିଜେଡି ଟିକେଟରେ କ୍ରମାଗତ 5ଥର ବିଧାୟକ ଭାବେ ନିର୍ବାଚିତ ହୋଇ କରିଥିଲେ ରେକର୍ଡ ।

ମୋଟ୍ ୭ ଥର ବିଧାୟକ ହୋଇ ରାଜ୍ୟ ରାଜନୀତିରେ ବିଜୁ ଜନତା ଦଳ ପାଇଁ ଏକ ମାଇଲ ଖୁଣ୍ଟ ହୋଇ ଛିଡା ହୋଇଥିଲେ ସେ । ରାଜ୍ୟ କ୍ୟାବିନେଟରେ ଅନେକ ଗୁରୁତ୍ବପୂର୍ଣ୍ଣ ଭୂମିକା ଅର୍ଜନ ମଧ୍ୟ କରିଥିଲେ । ୨୦୦୦ରୁ ୨୦୦୪ ମସିହା ପର୍ଯ୍ୟନ୍ତ ସରକାରୀ ମୁଖ୍ୟ ସଚେତକ ଭାବେ ଦାୟିତ୍ବ ତୁଲାଇଥିବା ବେଳେ ୨୦୧୧ରୁ ୨୦୧୨ ପର୍ଯ୍ୟନ୍ତ କୃଷି ମନ୍ତ୍ରୀ, ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ କୃଷି ସହ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଏବଂ ୨୦୧୭ରୁ ୨୦୧୯ ଜାନୁୟାରୀ ପର୍ଯ୍ୟନ୍ତ ପଞ୍ଚାୟତିରାଜ ମନ୍ତ୍ରୀ ହୋଇଥିଲେ ପ୍ରଦୀପ ମହାରଥୀ ।

ଅନ୍ୟପକ୍ଷେ ପୁଅ ରୁଦ୍ର ମହାରଥୀ ବିଜେଡିରୁ ପ୍ରାର୍ଥୀ ହେବା ପୂର୍ବରୁ ତାଙ୍କର ରାଜନୀତି ସହିତ ନଥିଲା କୌଣସି ସମ୍ପର୍କ । ସେପଟେ ଆଶ୍ରିତ ପଟ୍ଟନାୟକଙ୍କ ଉପରେ ପୁଣି ବିଶ୍ବାସ ପ୍ରକଟ କରି ବିଜେପି ତାଙ୍କୁ ଟିକେଟ ଦେଇଥିବା ବେଳେ ଏପଟେ ଜନସାଧାରଣଙ୍କ ସହାନୁଭୂମତି ସାଉଁଟିବା ପାଇଁ ମହାରଥୀଙ୍କ ପୁଅ ରୁଦ୍ରକୁ ନେଇ ଗୋଟି ଚାଳନା କରିଛି ବିଜେଡି ।

ଆଗାମୀ ଏପ୍ରିଲ 17 ତାରିଖରେ ପିପିଲି ଉପନିର୍ବାଚନ । ଏଥର ସ୍ବର୍ଗତ ପ୍ରଦୀପଙ୍କ ଜାଗାରେ ତାଙ୍କ ପୁଅ ରୁଦ୍ର ମହାରଥୀ ନିର୍ବାଚନ ଲଢୁଥିବା ବେଳେ ପିପିଲି ନିର୍ବାଚନ ମଣ୍ଡଳୀବାସୀ ବିଜେଡିକୁ ଜିତାଇବେ ନା ଅନ୍ୟ କାହାକୁ , ସେ ନେଇ ନାନା ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି ।

ମେ 2ରେ ନିର୍ବାଚନୀ ଫଳାଫଳ ଘୋଷଣା ହେବାକୁ ଥିବାବେଳେ ମେ ପହିଲାର ରାତି ପାହିଲେ ଜୁନିୟର ମହାରଥୀ ବାପାଙ୍କ ଚଲାପଥରେ ଛିଡା ହୋଇ ବିଜୟ ଧାରାକୁ ବଜାୟ ରଖିପାରୁଛନ୍ତି କି ନାହିଁ ତାହା ଜଣାପଡିବ । ଆଉ ନିଜ ଜୀବନ ଯାତ୍ରାରେ ପୂର୍ଣ୍ଣଛେଦ ପକାଇ ମହାନିଦ୍ରାରେ ଶୋଇ ପଡିଥିବା ମହାରଥୀଙ୍କ ଅଧୁରା ରାଜନୀତିକୁ ତାଙ୍କ ପୁଅ ରୁଦ୍ର ଆଗେଇ ନେବା ସହିତ ପିପିଲିବାସୀଙ୍କ ମନକୁ କେତେ ଦୂର ଜିତି ପାରୁଛନ୍ତି ତାହା ସମୟ କହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 2, 2021, 9:47 PM IST

ABOUT THE AUTHOR

...view details