ପୁରୀ: ପୁରୀ ପିପିଲିର ଦାନଗହୀରି ଅଞ୍ଚଳରେ ଜଣେ ବ୍ୟକ୍ତି କୋରୋନା ପଜିଟିଭ ଚିହ୍ନଟ ହେବା ପରେ କଡା ପଦକ୍ଷେପ ନେଇଛି ପୁରୀ ଜିଲ୍ଲା ପ୍ରଶାସନ । ଉକ୍ତ ଅଞ୍ଚଳ ସମେତ ଜୟପୁର ଶାସନ ଗାଁକୁ ମଧ୍ୟ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ସିଲ କରାଯାଇଛି । ଉକ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଘରୁ ବାହାରିବା ଉପରେ କଟକଣା ଜାରି କରାଯାଇଛି।
ପିପିଲିର ଏହି ଅଞ୍ଚଳକୁ 10 ଦିନ ପର୍ଯ୍ୟନ୍ତ ସିଲ କରାଯାଇଛି । ଏହି ସିଲ ସମୟ ସୀମା ଆସନ୍ତା 14 ତାରିଖ ମଧ୍ୟ ରାତ୍ରି ଯାଏଁ ଯାଏ ବଳବତ୍ତର ରହିବ । ଆଉ ଏହି ସମୟ ମଧ୍ୟରେ କେହି ଉକ୍ତ ଅଞ୍ଚଳକୁ ପ୍ରହେଶ କରିପାରିବେ ନାହିଁ । ତେବେ ଉକ୍ତ ଅଞ୍ଚଳରେ ପ୍ରତ୍ୟେକ ପରିବାର ଓ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ । ଅନ୍ୟପଟେ ଉକ୍ତ ଅଞ୍ଚଳକୁ ଶନିବାର ସମ୍ପୂର୍ଣ୍ଣ ବିଶୋଧନ କରାଯାଇଛି । ଅଗ୍ନିଶମ ବାହିନୀ ପକ୍ଷରୁ ଏହି ବିଶୋଧନମ ପ୍ରକ୍ରିୟା କରାଯାଇଛି । ବିଶେଷ କରି ସ୍ଥାନୀୟ ମେଡ଼ିକାଲ, ମାର୍କେଟ କମ୍ପ୍ଲେକ୍ସ , ଗ୍ରାମର ପ୍ରତ୍ୟେକ ଘର ଓ ରାସ୍ତାକୁ ସୋଡିଅମ କ୍ଲୋରାଇଡ଼ ନାମକ ଏକ କେମିକାଲ ସିଞ୍ଚନ କରାଯାଇ ବିଶୋଧନ କରାଯାଇଛି । ସେହିପରି ଉକ୍ତ ଗ୍ରାମକୁ ଖୋଦ ପୁରୀ ଉପଜିଲ୍ଲାପାଳ ଭଵତାରଣ ସାହୁ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗାଁ ସ୍କୁଲରେ ଏକ ଆଇସୋଲେସନ ସେଣ୍ଟର କରାଯାଇଛି। କୋରୋନା ସନ୍ଦିଗ୍ଧଙ୍କୁ ସେଠାରେ ରଖାଯାଇ ଚିକିତ୍ସା କରାଯିବ । ସେହିପରି ପ୍ରତ୍ୟେକ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ଅବସ୍ଥା ପରୀକ୍ଷା ହେବ । ସିଲ ହୋଇଥିବା ଅଞ୍ଚଳର ଲୋକ ଯେମିତି କେହି ଘରୁ ବାହାରିବେ ନାହିଁ ସେ ନଜର ରଖିବା ପାଇଁ ପୋଲିସ ମୁତୟନ କରାଯାଇଛି।