ଓଡିଶା

odisha

ETV Bharat / state

କାଳିଆର ପ୍ରିୟ ପିପିଲି ଚାନ୍ଦୁଆ: ନୂଆ ବାଇପାସ ବୁଡାଇଲା ବେଉସା, ସହାୟତା ଅପେକ୍ଷାରେ ଶିଳ୍ପୀ - ପିପିଲି

ପିପିଲି ଚାନ୍ଦୁଆ ବିଶ୍ବ ପ୍ରସିଦ୍ଧ । ଦେଶ ବିଦେଶକୁ ପିପିଲିରୁ ଚାନ୍ଦୁଆ ରପ୍ତାନି ହୋଇଥାଏ । ଆଉ ସମୟ ପରିବର୍ତ୍ତନ ସହ ଚାନ୍ଦୁଆ କାରିଗର ନିଜର ଡିଜାଇନରେ ପରିବର୍ତ୍ତନ କରିଛନ୍ତି । ଅଧିକ ପଢନ୍ତୁ...

ବିଶ୍ବ ପ୍ରସିଦ୍ଧ ପିପିଲି ଚାନ୍ଦୁଆ
ବିଶ୍ବ ପ୍ରସିଦ୍ଧ ପିପିଲି ଚାନ୍ଦୁଆ

By

Published : Mar 14, 2020, 9:33 PM IST

Updated : Mar 14, 2020, 11:25 PM IST

ପୁରୀ: ଜିଲ୍ଲାର ପିପିଲି ଚାନ୍ଦୁଆ ବିଶ୍ବ ପ୍ରସିଦ୍ଧ । ଦେଶ ବିଦେଶକୁ ପିପିଲିରୁ ଚାନ୍ଦୁଆ ରପ୍ତାନି ହୋଇଥାଏ । ପୁରୀ, କୋଣାର୍କ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ପିପିଲି ଚାନ୍ଦୁଆ କିଣିବାକୁ ବିଲକୁଲ ଭୁଲି ନଥାନ୍ତି । ଆଉ ସମୟ ପରିବର୍ତ୍ତନ ସହ ଚାନ୍ଦୁଆ କାରିଗର ନିଜର ଡିଜାଇନରେ ପରିବର୍ତ୍ତନ କରିଛନ୍ତି । ପୂର୍ବରୁ କେବଳ ଚାନ୍ଦୁଆ ତିଆରି ହେଉ ଥିବାବେଳେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ କାରିଗର ଏବେ ଚାନ୍ଦୁଆରେ ଡିଜାଇନିଂ ପର୍ସ, ୱାଲ ହ୍ୟାଙ୍ଗିଙ୍ଗ, ଟେବୁଲ କ୍ଲଥ, ଲ୍ୟାମ୍ପେଡ଼ ଝାଲର ଇତ୍ୟାଦି ତିଆରି କରୁଛନ୍ତି ।

କାଳିଆର ପ୍ରିୟ ପିପିଲି ଚାନ୍ଦୁଆ: ନୂଆ ବାଇପାସ ବୁଡାଇଲା ବେଉସା, ସହାୟତା ଅପେକ୍ଷାରେ ଶିଳ୍ପୀ

ଏହି ଚାନ୍ଦୁଆ ଏବେ ଶିଳ୍ପରେ ପରିଣତ ହୋଇଥିବା ବେଳେ ପିପିଲି ଅଞ୍ଚଳର ହଜାର ହଜାର ପରିବାରର ମୁଖ୍ୟ ରୋଜଗାରର ମାଧ୍ୟମ ହୋଇଛି । ଚାନ୍ଦୁଆ ଓଡିଶା ହସ୍ତକଳାର ଏକ ପୁରାତନ ଅଙ୍ଗ । ଏହା ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ପୂର୍ବରୁ ପିପିଲିର ଚାନ୍ଦୁଆ କାରିଗର ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଚାନ୍ଦୁଆ ନିର୍ମାଣ କରି ଯୋଗାଉଥିଲେ । କେବଳ ସେତିକି ନୁହେଁ ସାରା ରାଜ୍ୟକୁ ପିପିଲିରୁ ଚାନ୍ଦୁଆ ବିଭିନ୍ନ ପର୍ବପର୍ବାଣୀ ପାଇଁ ଯାଉଥିଲା । ମୁଖ୍ୟତଃ ଛତ୍ରୀ, ତ୍ରାସ, ଆଲଟ, ଚାମର, ଦୋଳ ବିମାନ ମଣ୍ଡଣି ଆଦି ପୂର୍ବକାଳରେ ତିଆରି ହେଉଥିଲା ।

ରାହୁମୁଣ୍ଡ, ଶୂଆ, କଦଳୀ ପତ୍ର, ଗଦା, ତୁଳସୀ ପତ୍ର , ମୟୂର ଆଦି ପାରମ୍ପରିକ ଡିଜାଇନରେ ହୋଇଥାଏ ଚାନ୍ଦୁଆ । ସୂତା, ଲେସ୍‌, ଚୁମୁକି, କାଚ, ମାଳି, ଭେଲବେଟ କପଡା ଆଦି କଞ୍ଚାମାଲ ଗୁଜୁରାଟର ସୁରଟ ଓ କୋଲକାତାରୁ ଆଣି କାରିଗର ହାତ ଓ ମେସିନରେ ତିଆରି କରି ବିକ୍ରି କରନ୍ତି ।

ପିପିଲି ଚାନ୍ଦୁଆକୁ ବିଶ୍ବ ଦରବାରରେ ପହଞ୍ଚାଇବା ଓ କାରିଗରଙ୍କୁ ରୋଜଗାର ବଢାଇବା ଉଦ୍ଦଶ୍ୟରେ ରାଜ୍ୟ ସରକାର ଚାନ୍ଦୁଆ ସୋସାଇଟି ଗଠନ କରିଥିଲେ । ଏଥିରେ 30 ଜଣ ଚାନ୍ଦୁଆ କାରିଗର ସଦସ୍ୟ ଅଛନ୍ତି । ତେବେ ପୁରୀ ଭୁବନେଶ୍ବର ନୂତନ ରାଜପଥ ପାଇଁ ପିପିଲିରେ ବାଇପାସ ରାସ୍ତା ହେବା ପରେ ପର୍ଯ୍ୟଟକ ଆଉ ପିଲିଲି ପଟେ ଆସୁ ନଥିବା ହେତୁ ବ୍ୟବସାୟ ମାନ୍ଦା ପଡିଯାଇ ଥିବା ଚାନ୍ଦୁଆ କାରିଗର କହିଛନ୍ତି ।

ସେହିପରି ରାଜ୍ୟ ସରକାର ଚାନ୍ଦୁଆ କାରିଗରଙ୍କୁ ସ୍ବତନ୍ତ୍ର ଆର୍ଥିକ ସାହାଯ୍ୟ ପ୍ରଦାନ କଲେ ଚାନ୍ଦୁଆ କାରିଗର ଅଧିକ ଚାନ୍ଦୁଆ ଉତ୍ପାଦନ କରିବା ନେଇ ମତ ଦେଇଛନ୍ତି । ଅନ୍ୟପଟେ ପର୍ଯ୍ୟଟକଙ୍କ ଗାଡିକୁ ପିପିଲି ଦେଇ ଯିବାକୁ ସରକାର ବ୍ୟବସ୍ଥା କରିବା ଉଚିତ ବୋଲି ଚାନ୍ଦୁଆ ବ୍ୟବସାୟୀ କହିଛନ୍ତି ।

ଦିଲ୍ଲୀ ଦରବାରଠୁ ବଲିଉଡ ଦୁନିଆ, ସବୁଠି ପିପିଲି ଚାନ୍ଦୁଆ ଛାପ ଛାଡିଛି । ଓଡିଶାର ଏହି ହସ୍ତଶିଳ୍ପ ରାଜ୍ୟର ପରିଚୟ ହୋଇଥିବାରୁ ଏହାର ଉନ୍ନତି ଦିଗରେ ସରକାର ତୁରନ୍ତ ଆଗେଇ ନଆସିଲେ ଅଗାମୀ ଦିନରେ ଏହି ଶିଳ୍ପ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Mar 14, 2020, 11:25 PM IST

ABOUT THE AUTHOR

...view details