ପୁରୀ: ପିପିଲି ଉପନିର୍ବାଚନ ନେଇ ବିଗୁଲ ବାଜି ସାରିଛି । ବିଭିନ୍ନ ରାଜନୈତିକ ଦଳ ପ୍ରଚାର ଅଭିଯାନ ଜୋରଦାର କରିଥିବା ବେଳେ ଡୋର ଟୁ ଡୋର କ୍ୟାମ୍ପେନିଂ ସମେତ ବାଇକ ରାଲି, ସଭା ସମିତି ମଧ୍ୟ ଅନୁଷ୍ଠିତ ହେଉଛି । ଭୋଟରମାନେ ତାଙ୍କୁ ଭୋଟ ଦେଲେ ଅଞ୍ଚଳର ବିକାଶ ହେବ ବୋଲି ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ଭୋଟରଙ୍କୁ ବୁଝାଉଛନ୍ତି । ତେବେ ପ୍ରକୃତ ଭୋଟରଙ୍କ କ’ଣ ସମସ୍ୟା ରହିଛି ଏବଂ ସେମାନେ କିଭଳି ପ୍ରାର୍ଥୀଙ୍କୁ ଜିତାଇବାକୁ ଚାହୁଁଛନ୍ତି ସେ ନେଇ ଇଟିଭି ଭାରତ ଟିମ, ଗ୍ରାଉଣ୍ଡରେ ପହଞ୍ଚି, ପିପିଲିର ଜସୁଆପୁର, ବିର ପୁରୁଷୋତ୍ତମ ପୁର ଓ ରୂପଦେଇପୁର ପଞ୍ଚାୟତକୁ ଯାଇ ଭୋଟରଙ୍କ ମତାମତ ନେଇଛି ।
ତେବେ ଲୋକଙ୍କ କହିବା କଥା ଚାଷ ପାଇଁ ଜଳସେଚନ, ବ୍ୟବହାର ପାଇଁ ପାନୀୟ ଜଳ, ବିଦ୍ୟୁତ ଓ ରାସ୍ତା ଘାଟ ସମସ୍ୟା ଏବେ ବି ଗ୍ରାମାଞ୍ଚଳରେ ରହିଛି । ପିପିଲି ବ୍ଲକର ବିର ପୁରୁଷୋତ୍ତମପୁର, ଜସୁଆପୁର, ରୂପଦେଇପୁର ଅଞ୍ଚଳରେ ଦେଇଯାଇଥିବା ଶୁକଳ କେନାଲରେ ଠିକ ଭାବେ ପାଣି ଆସୁ ନଥିବା ହେତୁ ଚାଷୀମାନେ କେବଳ ବର୍ଷା ଜଳ ଉପରେ ନିର୍ଭର କରି ଚାଷ କରୁଛନ୍ତି । କେନାଲ ମରାମତି ନହେବା ହେତୁ ପାଣି ଜମିକୁ ଆସିପାରୁ ନାହିଁ । ଫଳରେ ଚାଷୀ ପନି ପରିବା ଚାଷ କରିପାରୁ ନାହାଁନ୍ତି । ସେହିପରି ଗ୍ରାମଞ୍ଚଳରେ ଏବେବି ରାସ୍ତା ଠିକ ଭାବେ କାମ ହୋଇନାହିଁ । ଲୋକ ସଂଖ୍ୟା ଅନୁପାତରେ ପାନୀୟ ଜଳ ବ୍ୟବହାର ପାଇଁ ଟ୍ୟୁବ ବେଲ ନାହିଁ । ଅନେକ ଲୋକ ସରକାରଙ୍କ ପକ୍ଷରୁ ପକ୍କାଘର ପାଇପାରି ନାହାଁନ୍ତି । ଏଣୁ, ଏହିସବୁ ସମସ୍ୟା ସମାଧାନ ନେଇ ସେମାନେ ପ୍ରାର୍ଥୀଙ୍କୁ ଅବଗତ କରାଇବା ସହ ଯେଉଁ ପ୍ରାର୍ଥୀ ଉପରେ ଏନେଇ ଭରସା ହେବ ତାକୁ ଭୋଟ ଦେବେ ବୋଲି ଭୋଟର କହିଛନ୍ତି ।
ଅଗାମୀ ଏପ୍ରିଲ 17 ତାରିଖରେ ପିପିଲି ନିର୍ବାଚନ ମଣ୍ଡଳୀରେ ଉପ ନିର୍ବାଚନ ହେବ । ସୂଚନା ଅନୁଯାୟୀ ପିପିଲି ନିର୍ବାଚନ ମଣ୍ଡଳୀର ମୋଟ ଭୋଟରଙ୍କ ସଂଖ୍ୟା 2ଲକ୍ଷ 29ହଜାର 583 । ସେଥିମଧ୍ୟରୁ ପୁରୁଷ ଭୋଟର ହେଉଛନ୍ତି 1ଲକ୍ଷ 19 ହଜାର 20 ଏବଂ ମହିଳା ଭୋଟରଙ୍କ ସଂଖା 1 ଲକ୍ଷ 10 ହଜାର 561 ଏବଂ ଅନ୍ୟାନ୍ୟ ରହିଛନ୍ତି 2 ଜଣ । ପିପିଲି ଓ ଡେଲଙ୍ଗ ଅଞ୍ଚଳକୁ ନେଇ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ତଥା 110 ନମ୍ବର ବିଧାନସଭା ଆସନ ।