ପୁରୀ: ପୁଣି ପୁରୀ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍ । ଏଥର କିନ୍ତୁ ଶ୍ରୀମନ୍ଦିର ବେଢା କି ଆନନ୍ଦ ବଜାର ନୁହେଁ ମହାପ୍ରଭୁଙ୍କ ରତ୍ନ ସିଂହାସନ ଫଟୋ ଭାଇରାଲ୍ ହୋଇଛି । ଶ୍ରୀମନ୍ଦିର ରତ୍ନସିଂହାସନରେ ବିରାଜିତ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀ ସୁଦର୍ଶନ ମହାପ୍ରଭୁଙ୍କ ଫଟୋଚିତ୍ର ଫେସବୁକରେ ଭାଇରାଲ ହେଉଥିବା ଅଭିଯୋଗ ହୋଇଛି ।
ଶ୍ରୀମନ୍ଦିର ଭିତରକୁ କ୍ୟାମେରା ଓ ମୋବାଇଲ ଫୋନ୍ ବ୍ୟାନ ଥିବାବେଳେ କିଭଳି ରତ୍ନସିଂହାସନରେ ବିରାଜିତ ଫଟୋ ଭାଇରାଲ ହୋଇଛି ତାହା ଏବେ ଚର୍ଚ୍ଚାର ବିଷୟ । ପଶ୍ଚିମବଙ୍ଗର ଜଣେ ପର୍ଯ୍ୟଟକ ଅରଜିତ ଚନ୍ଦ୍ରା ଏହାକୁ ଭାଇରାଲ କରିଛନ୍ତି । ସେଥିରେ ଜଣେ ବରିଷ୍ଠ ସେବାୟତଙ୍କୁ ଟ୍ୟାଗ କରିଛନ୍ତି । ଏଠି ପ୍ରଶ୍ନ ଉଠୁଛି ଏହି ଫଟୋଚିତ୍ର କିଭଳି ଭାଇରାଲ ହେଲା ଏବଂ ସମ୍ପୃକ୍ତ ଯୁବକ ଜଣକ ବରିଷ୍ଠ ସେବାୟତଙ୍କୁ ଟ୍ୟାଗ କାହିଁକି କରିଛନ୍ତି । ଏହା ଶ୍ରୀମନ୍ଦିରର ରତ୍ନସିଂହାସନର ଫଟୋଚିତ୍ର ନା ଏଡିଟେଡ ଫଟୋଚିତ୍ର ନା ଅନ୍ୟକେଉଁ ଶ୍ରୀଜଗନ୍ନାଥ ମନ୍ଦିରର ଫଟୋଚିତ୍ର । ଏହାକୁ ଶ୍ରୀମନ୍ଦିର ପ୍ରଶାସନ ତଦନ୍ତ କରିବା ଆବଶ୍ୟକ । ଯଦି ଏହା ଶ୍ରୀମନ୍ଦିର ରତ୍ନସିଂହାସନର ତାହା ହେଲେ ଏହା କେତେ ବର୍ଷ ତଳର ଫଟୋ ନା ଅତି ନିକଟର ଫଟୋ ଏହା ତଦନ୍ତ ସାପେକ୍ଷ ।
ଶ୍ରୀମନ୍ଦିର ରତ୍ନସିଂହାସନରେ ବିରାଜିତ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀ ସୁଦର୍ଶନ ମହାପ୍ରଭୁଙ୍କ ଫଟୋଚିତ୍ର ଫେସବୁକରେ ଭାଇରାଲ ଅଭିଯୋଗ ଘଟଣାକୁ ଗୁରୁତର ସହ ନେଇଛି ଜିଲ୍ଲା ପ୍ରଶାସନ । ଉଭୟ ଜିଲ୍ଲାପାଳ ଓ ଏସପି ମିଳିତ ଭାବେ ଘଟଣାର ତଦନ୍ତ କରୁଛନ୍ତି । ଭବିଷ୍ୟତରେ ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନହେବ ସେ ଦିଗରେ ସବୁ ପ୍ରକାର ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।