ଓଡିଶା

odisha

ETV Bharat / state

ମାସମାସ ଧରି ଏଠାରେ ଜଳବନ୍ଦୀ ହୁଅନ୍ତି ଲୋକେ, ତଥାପି ନିରବ ପ୍ରଶାସନ - ବ୍ରହ୍ମଗିରି ଲାଟେଷ୍ଟ ନ୍ୟୁଜ୍‌

ସ୍ବାଧୀନତାର 73 ବର୍ଷ ପରେ ବି ଗାଁକୁ ଯିବାକୁ ରାସ୍ତାଟିଏ ନାହିଁ । ଟିକେ ବର୍ଷା ହେଲେ ବୁଡି ଯାଉଛି ଗନ୍ତବ୍ୟ ବାଟ । ଏ ହେଉଛି ବ୍ରହ୍ମଗିରି ବ୍ଲକ ଘଟକୁଡି ପଞ୍ଚାୟତ ଗୌଡରଣପଡା ବଡ ହରିଜନ ସାହିର ଅବସ୍ଥା ।

ଫଟୋ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି

By

Published : Nov 5, 2019, 12:58 PM IST

ବ୍ରହ୍ମଗିରି: ସ୍ବାଧୀନତାର 73 ବର୍ଷ ପରେ ବି ଗାଁକୁ ଯିବାକୁ ରାସ୍ତାଟିଏ ନାହିଁ । ଟିକେ ବର୍ଷା ହେଲେ ବୁଡି ଯାଉଛି ଗନ୍ତବ୍ୟ ବାଟ । ଫଳରେ ଅଣ୍ଟାଏ ଅଣ୍ଟାଏ ପାଣିରେ ବୁଡି ଯିବା ଆସିବା କରିବା ସହ ଗରାରେ ପାଣି ବୋହୁଛନ୍ତି ଗାଁ ଲୋକେ । ଏ ହେଉଛି ବ୍ରହ୍ମଗିରି ବ୍ଲକ ଘଟକୁଡି ପଞ୍ଚାୟତ ଗୌଡରଣପଡା ବଡ ହରିଜନ ସାହିର ଅବସ୍ଥା । ଯେଉଁଠାରେ ରାସ୍ତା ନଥିବାରୁ ହଇରାଣ ହେଉଛନ୍ତି ନିର୍ଭରଶୀଳ 20 ପରିବାର ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି

ବିକାଶ ନାଁରେ ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବା ବେଳେ ପ୍ରତି ଗାଁକୁ ଗମନାଗମନ ପାଇଁ ରାସ୍ତା ନାମରେ ଖର୍ଚ୍ଚ କରିଛନ୍ତି କୋଟି କୋଟି ଟଙ୍କା । ହେଲେ ଏହି ଗାଁରେ ସବୁ ଯୋଜନା ଯେମିତି ଏକପ୍ରକାର ଫେଲ ମାରିଛି । ଫଳରେ ବର୍ଷକୁ 8 ମାସ ବିଲ ମଝି ଦେଇ ଲୋକେ ଯିବା ଆସିବା କରୁଥିବା ବେଳେ ବର୍ଷା ଦିନେ ଆଣ୍ଠୁଏ ପାଣିରେ ବୁଡି ଗମନାଗମନ କରନ୍ତି । ଗାଁର ଏହି ନିତିଦିନିଆ ଅସୁବିଧା ପାଇଁ ଛାତ୍ରଛାତ୍ରୀମାନେ ପାଣିରେ ପଶି ସ୍କୁଲ କଲେଜ ଯିବା ସହ ରୋଗୀମାନେ ବି ଏହି ବାଟ ଦେଇ ଯାଆନ୍ତି ମେଡିକାଲ ।

ବର୍ଷାଦିନେ ଜମୁଥିବା ପାଣି ଯୋଗୁଁ କେତେବେଳେ ଘରେ ସାପ ବେଙ୍ଗ ପଶୁଛନ୍ତି ତ କେତେବେଳେ ପୁଣି ଗୋଧି ପଶୁଥିବା ଦେଖିବାକୁ ମିଳୁଛି । ତେଣେ ମାସମାସ ଧରି ପାଣି ଘେରରେ ରହିବା ଦ୍ବାରା ଲାଗି ରହୁଛି ସ୍ବାସ୍ଥ୍ୟଜନିତ ସମସ୍ୟା । ଅନ୍ୟପଟେ ଗାଁର ସ୍ତ୍ରୀ ଲୋକମାନେ ପିଇବା ପାଣି ଯୋଗାଡ କରିବା ପାଇଁ ଆଣ୍ଠୁଏ ପାଣିରେ ପଶି ଗରାରେ ବୁହନ୍ତି ପାଣି । ଗତ ସେପ୍ଟେମ୍ବର 30ରେ ଗାଁର କୁନି ଭୋଇଙ୍କ ମୃତ୍ୟୁ ସମୟରେ କାଳ ସାଜିଥିଲା ପାଣି । ଫଳରେ ଚାରି କାନ୍ଧ ବଦଳରେ ଭେଳାରେ ରଖି ପାଣି ଭିତରେ ତାଙ୍କୁ ନେବାକୁ ପଡିଥିଲା ଶ୍ମଶାନ।

ସେ ସମୟରେ ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଅଞ୍ଚଳର ଅନେକ ସମସ୍ୟା ଏବେ ବି ସାମାଧାନ ହୋଇପାରୁନାହିଁ । ଏନେଇ ବାରମ୍ବାର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ବି ଫଳ ଶୂନ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ABOUT THE AUTHOR

...view details