ଓଡିଶା

odisha

ETV Bharat / state

୨୦୨୪ରେ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ, ୧ମାସ ମଧ୍ୟରେ ଖୋଲିବାକୁ ବିଭିନ୍ନ ମହଲରେ ଦାବି - ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ

୨୦୨୪ ରଥଯାତ୍ରା ସମୟରେ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ । ବିଳମ୍ବ ହୋଇଯିବା ଦର୍ଶାଇ ଆଗାମୀ ୧ ମାସ ମଧ୍ୟରେ ଖୋଲିବାକୁ ବିଭିନ୍ନ ମହଲରେ ଉଠିଲା ଦାବି । ଅଧିକ ପଢନ୍ତୁ

Puri Ratna Bhandar
Puri Ratna Bhandar

By

Published : Aug 5, 2023, 4:51 PM IST

Updated : Aug 5, 2023, 5:12 PM IST

୨୦୨୪ରେ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ, ୧ମାସ ମଧ୍ୟରେ ଖୋଲିବାକୁ ବିଭିନ୍ନ ମହଲରେ ଦାବି

ପୁରୀ:ଆସନ୍ତା ବର୍ଷ ୨୦୨୪ ରଥଯାତ୍ରା ସମୟରେ ଖୋଲାଯିବ ମହାପ୍ରଭୁଙ୍କ ରତ୍ନଭଣ୍ଡାର । ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ଏବଂ ଏହାର ଆବଶ୍ୟକୀୟ ମରାମତି ପାଇଁ ଏହାକୁ ଖୋଲାଯିବ । ଗତକାଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ବେଳେ ଆଜି ଏହାକୁ ବିରୋଧ କରାଯାଇଛି । ୨୦୨୪ ରଥଯାତ୍ରା ବେଳକୁ ବହୁ ବିଳମ୍ବ ହେବ । ଏଣୁ ୧ ମାସ ମଧ୍ୟରେ ରତ୍ନ ଭଣ୍ଡାର ଯାଞ୍ଚ ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି ।

ରତ୍ନଭଣ୍ଡାର ଖୋଲାଯିବାକୁ ନେଇ ବିଭିନ୍ନ ମହଲରେ ଦାବି ଉଠିବା ପରେ ଶେଷରେ ରତ୍ନଭଣ୍ଡାର ଖୋଲିବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେଇଥିବାରୁ ସବୁ ମହଲରେ ଏହାକୁ ସ୍ବାଗତ କରାଯାଇଛି । ସେପଟେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ମଧ୍ୟ ପରିଚାଳନା କମିଟିର ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି । ରତ୍ନଭଣ୍ଡାରର ସ୍ଥିତି ଦିନକୁ ଦିନ ଖରାପ ହେଉଥିବା ବେଳେ ଅତି ଶୀଘ୍ର ଏହାର ଯାଞ୍ଚ ଏବଂ ମରାମତି ଆବଶ୍ୟକ ଥିବା ସେ ମତ ରଖିଛନ୍ତି । ରଥଯାତ୍ରା ସମୟକୁ ଅପେକ୍ଷା ନକରି ଯଥାଶୀଘ୍ର ଏହାର ଯାଞ୍ଚ ଏବଂ ମରାମତି କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଏହା ବି ପଢନ୍ତୁ- Srimandir Ratna Bhandar: ଆସନ୍ତାବର୍ଷ ରଥଯାତ୍ରା ବେଳେ ଖୋଲିବା ପାଇଁ ସରକାରଙ୍କୁ ସୁପାରିଶ କରାଯିବ: ଜିଲ୍ଲାପାଳ

ସେହିପରି ରତ୍ନଭଣ୍ଡାରରେ ଗଚ୍ଛିତ ଥିବା ରତ୍ନ‌ ଗଣତି କରାଯିବା ସହ ସେହି ସୁନା ଅଳଙ୍କାରରେ ମହାପ୍ରଭୁଙ୍କ ଆହୁରି ଅଧିକ ସୁନାବେଶର ସେଟ୍ ପ୍ରସ୍ତୁତ କରିବାକୁ ମତ ରଖିଛନ୍ତି ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ । ମହାପ୍ରଭୁଙ୍କ ଭଣ୍ଡାରକୁ ସ୍ବର୍ଣ୍ଣ ଅଳଙ୍କାର ଦାନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଚାର ପ୍ରସାର କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ଅନ୍ୟପଟେ ରତ୍ନ ଭଣ୍ଡାର ଦାବି ଉଠିବା ପରେ ଏହାକୁ ଚାପି ଦେବା ଲାଗି ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ଆବେଦନକାରୀ ଦିଲ୍ଲୀପ ବରାଳ

ଏ ନେଇ ସେ କହିଛନ୍ତି, "ରତ୍ନ ଭଣ୍ଡାର ସ୍ଥିତି ଅତି ଦୁର୍ବଳ ରହିଛି । ଆସନ୍ତା ରଥଯାତ୍ରାକୁ ଅପେକ୍ଷା ନ କରି ଆଗାମୀ ୧ ମାସ ମଧ୍ୟରେ ରତ୍ନ ଭଣ୍ଡାର ମରାମତି କରାଯାଇ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି କରାଯାଉ ।" ସେପଟେ ଭକ୍ତଙ୍କ ପାଇଁ ଚାରି ଦ୍ଵାର ଖୋଲିବାରେ ପୁଣି ଶ୍ରୀମନ୍ଦିର ପ୍ରଶାସନ ପଛଘୁଞ୍ଚା ଦେବାକୁ ନେଇ ବିରୋଧ କରିଛି ପୁରୀ ସଚେତନ ନାଗରିକ ମଞ୍ଚ। ମଞ୍ଚ କହିଛି, "ଚାରି ଦ୍ବାର ନ ଖୋଲି କେବଳ ପୁରୀ ବାସିନ୍ଦାଙ୍କ ପାଇଁ ପଶ୍ଚିମ ଦ୍ଵାର ଖୋଲିବା ଠିକ୍ ନୁହେଁ । କେବଳ ପୁରୀ ବାସିନ୍ଦା କଣ ମହାପ୍ରଭୁଙ୍କ ଭକ୍ତ, ଅନ୍ୟ ସ୍ଥାନରୁ ଆସିଥିବା ଭକ୍ତ କଣ ମହାପ୍ରଭୁଙ୍କ ଭକ୍ତ ନୁହେଁ କି ? ଆଜି ପର୍ଯ୍ୟନ୍ତ କାହିଁକି ପରିକ୍ରମା ପ୍ରକଳ୍ପ ପ୍ରଶାସନ ଶେଷ ହେଲାନାହିଁ ? ଏଥିପାଇଁ ଭକ୍ତଙ୍କ ଦୋଷ କଣ ? ଭକ୍ତ କାହିଁକି କଷ୍ଟ ପାଇବେ ?"

ମଞ୍ଚ ପୂର୍ବରୁ 4 ଦ୍ବାର ଭକ୍ତଙ୍କ ପାଇଁ ଖୋଲିବା ଦାବି ନେଇ ଯେଉଁ ଦସ୍ତଖତ ଅଭିଯାନ ଜାରି ରଖିଛି ସେହି ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ । ୧ ଲକ୍ଷ ଲୋକଙ୍କ ଦସ୍ତଖତ ସଂଗ୍ରହ କରାଯାଇ ଦାବିପତ୍ର ଆକାରରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ପ୍ରଦାନ କରାଯିବ । ତେବେ ଏହା ପରେ ମଧ୍ୟ ଦାବି ପୂରଣ ନ ହେଲେ ସବୁ ଭକ୍ତଙ୍କ ପାଇଁ 4 ଦ୍ବାର ଖୋଲିବା ଦାବି ନେଇ ଶ୍ରୀମନ୍ଦିର ଚାରି ଦ୍ବାର ସମ୍ମୁଖରେ ଧାରଣା ଦିଆଯିବ ବୋଲି ପୁରୀ ସଚେତନ ନାଗରିକ ମଞ୍ଚ ଆବାହକ ପ୍ରସନ୍ନ ଦାଶ ସୂଚନା ଦେଇଛନ୍ତି ।

ସୂଚନା ଥାଉ କି ୨୦୧୮ ମାର୍ଚ୍ଚରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲି ଏହାର ଯାଞ୍ଚ ଏବଂ ମରାମତି କରିବା ପାଇଁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସେହିପରି ରତ୍ନଭଣ୍ଡାର ମରାମତି ଓ ଯାଞ୍ଚ ପାଇଁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନକୁ ୨୦୨୨ ଅଗଷ୍ଟରେ ASI ପକ୍ଷରୁ ଚିଠି କରାଯାଇଥିଲା । ଏହା ସତ୍ତ୍ବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରତ୍ନଭଣ୍ଡାର ଖୋଲାଯିବା ନେଇ ଆଜି ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନଥିଲା । ରତ୍ନଭଣ୍ଡାର ଖୋଲାଯିବା ନେଇ ଭକ୍ତ, ସେବାୟତ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ପରେ ଶେଷରେ ମୁଣ୍ଡ ନୁଆଇଁଛି ଶ୍ରୀମନ୍ଦିର ପ୍ରଶାସନ।

ଇଟିଭି ଭାରତ, ପୁରୀ

Last Updated : Aug 5, 2023, 5:12 PM IST

ABOUT THE AUTHOR

...view details